ମୁଖ୍ୟ ଖବର
ଉପନିର୍ବାଚନ ପାଇଁ ଏବେ ବ୍ରଜରାଜନଗର ଅଂଚଳ କମ୍ପି ଉଠୁଛି । ପ୍ରତିଦିନ ତିନି ମୁଖ୍ୟ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇନାହାନ୍ତି । ହେଲେ ମାଳମାଳ ବିଜେଡ଼ି ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ଖୁବ ଜୋରରେ କ୍ୟାମ୍ପେନ କରୁଛନ୍ତି । ବିଶେଷକରି ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ କରୁଥିବା ଦେଖିବାକୁ ମିଳୁଛି । ଫଳରେ ବିଜେଡ଼ି ଶିବିର ବେଶ ଚଳଚଂଚଳ ହୋଇଯାଇଛି । ଅପରପକ୍ଷରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପାଇଁ ମଧ୍ୟ ବିଜେପି ନେତାମାନେ ଲାଗି ପଡ଼ିଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀ ନିର୍ବାଚନର ମଙ୍ଗ ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଧାରାଣୀଙ୍କ ପାଇଁ ପ୍ରଚାର କରିସାରିଛନ୍ତି । ୨୦୧୪ରେ ରାଧାରାଣୀ ଏଠାରୁ ବାଜିମାତ କରିଥିବାବେଳେ ୨୦୧୯ରେ କିନ୍ତୁ ପରାସ୍ତ ହୋଇଥିଲେ । କଂଗ୍ରେସ ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ରାଜନେତା କିଶୋର ପଟେଲ । ଅତୀତରେ ଝାରସୁଗୁଡ଼ା ଥିଲା କଂଗ୍ରେସର ଗଡ଼ । ଗୋଟିଏ ପଟେ ବ୍ରଜରାଜନଗରରେ ଅନୁପ କୁମାର ସାଏ ବାଜିମାତ କରୁଥିବାବେଳେ ଅପରପକ୍ଷରେ ଝାରସୁଗୁଡ଼ାରେ ବାଜି ମାରୁଥିଲେ ନବକିଶୋର ଦାସ । କିନ୍ତୁ ଦୁଇ ନେତା ବିଜେଡ଼ିକୁ ଆସିବା ପରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଯାଇଛି କହିଲେ ଭୁଲ ହେବନାହିଁ । ତେବେ ୨୦୧୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ କିଶୋର ପଟେଲ ପାଖାପାଖି ୪୦ ହଜାର ଭୋଟ ପାଇଥିଲେ । ଏବେ ପୁଣି ସେ ମଇଦାନକୁ ଓହ୍ଲାଇଥିବାବେଳେ ତାଙ୍କ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ପ୍ରଚାର କରୁଛନ୍ତି । ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଜନତା ଜନାର୍ଦ୍ଧନ କାହା ସପକ୍ଷରେ ଭୋଟ ଦେବେ ତାହା ଉପରେ ଏବେ ସଭିଙ୍କ ନଜର ରହିଛି ।
Comments ସମସ୍ତ ମତାମତ