ମୁଖ୍ୟ ଖବର
ଭୁବନେଶ୍ୱର : ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ବହି ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ସ୍କୁଲରେ ଠିକ୍ ଭାବରେ ପଢାଯିବା ନେଇ ସଂଶୋଧିତ ବହି ବ୍ୟବହାର ହେବ।ସଂଶୋଧିତ ବହି ଡିଇଓ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ।ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ୟ୍ୟାନୁଷ୍ଠାନ ନିଆଯିବ।
ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟିର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ସ୍କାନର୍ରେ ଅଛନ୍ତି ଜଣକ ପରେ ଜଣେ ଅଧିକାରୀ । ଏସସିଇଆରଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ୱିତ ହେବା ପରେ ଏବେ ତଦନ୍ତ ସ୍କାନରକୁ ଆସିଛନ୍ତି କୋର୍ କମିଟି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ । ଯିଏ କି ବହି ପ୍ରକାଶନ ପାଇଁ ଗଠିତ ଷ୍ଟେଟ୍ ଷ୍ଟିୟରିଂ କମିଟି ଏବଂ କୋର୍ କମିଟିର ମୁଖ୍ୟ ଥିଲେ । ଏଥିସହ ଅନ୍ୟ ସମସ୍ତ ସବ୍-କମିଟିର କାର୍ୟ୍ୟ ତଦାରଖ କରିବା ସହ ତ୍ରୁଟିଶୂନ୍ୟ ବହି ପ୍ରକାଶନ କରିବା ପାଇଁ ସିଧାସଳଖ ଦାୟୀ ଥିଲେ ।
ଶ୍ରୀ ପ୍ରଧାନଙ୍କ ସମେତ ବହୁ ପ୍ରତିଷ୍ଠିତ ଶିକ୍ଷାବିତ୍ ଥାଉ ଥାଉ ପାଠ୍ୟପୁସ୍ତକରେ ଏଭଳି ଗୁରୁତର ତ୍ରୁଟି ରହିଗଲା କେମିତି? ବହି ଛପା ହେବା ପୂର୍ବରୁ ସେ ନିଜେ ଏହାକୁ ପରଖିଥିଲେ, ନା କେବଳ ଆଖିବୁଜି ପ୍ରିଣ୍ଟିଂ ପାଇଁ ସବୁଜ ସଙ୍କେତ ଦେଇଥିଲେ? ବହି ଛପା କାର୍ୟ୍ୟରେ ଶ୍ରୀ ପାଢ଼ୀଙ୍କ ମନମାନୀ ବାବଦରେ ଯଦି ସେ ଜାଣିନଥିଲେ କିମ୍ୱା ତାଙ୍କୁ ବହି ଦେଖାଯାଇନଥିଲା, ତେବେ ଏ ନେଇ ସେ ସେତେବେଳେ ଓସେପା କିମ୍ୱା ଗଣଶିକ୍ଷା ସଚିବଙ୍କୁ ଜଣାଇଥିଲେ କି? ଘଟଣାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଶ୍ରୀ ପ୍ରଧାନଙ୍କ ରହସ୍ୟଜନକ ନୀରବତାକୁ ନେଇ ଶିକ୍ଷାବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
Comments ସମସ୍ତ ମତାମତ