ମୁଖ୍ୟ ଖବର
ବାଙ୍କୀ : ନୂଆବର୍ଷ ରାତିରେ ଆତଙ୍କ । ଭୋର୍ ସମୟରେ ଘର ଉପରକୁ ଫିଙ୍ଗିଲେ ବୋମା । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଭୋର୍ ସମୟରେ ବୋମାମାଡ଼ ହୋଇଛି । ତାଳବସ୍ତ ଗାଁର ଚିନ୍ତାମଣି ବେହେରାଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ ।ମିଳିଥିବା ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଛି । ଚିନ୍ତାମଣିଙ୍କ ଘର ସହ ତାଙ୍କର ସିମେଣ୍ଟ ଦୋକାନ ଉପରକୁ ବୋମାମାଡ଼ କରାଯାଇଛି । ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ଆହତ ହୋଇ ନାହାନ୍ତି ।ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ବୋମାମାଡ଼ରେ ସମ୍ପୂର୍ଣ୍ଣ ବାଙ୍କୀ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଚିନ୍ତାମଣିଙ୍କ ଘରେ ଥିବା ଆସବାବପତ୍ର ଭାଙ୍ଗିରୁଜି ଯାଇଛି । ତେବେ କିଏ ଓ କାହିଁକି ବୋମାମାଡ଼ କଲା ତାହା ସ୍ପଷ୍ଟ ହୋଇ ନାହିଁ ।ଚିନ୍ତାମଣି ସିମେଣ୍ଟ ଗୋଦାମ କରିଥିବାରୁ କେହି ସହି ନପାରି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି । ବୋମାମାଡ଼ ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ କରିବା ପରେ ସ୍ପଷ୍ଟ ହୋଇ ପାରିବ କିଏ ଓ କାହିଁକି ବୋମାମାଡ଼ କରିଛି ।ଏହା ପୂର୍ବରୁ ୨୦୨୪ ନଭେମ୍ବର ଓ ଅଗଷ୍ଟରେ ବାଙ୍କୀ ଥାନା ଅଞ୍ଚଳରେ ବୋମାମାଡ଼ ହୋଇଥିଲା । ନଭେମ୍ବରରେ ଦାଦାବଟିକୁ ନେଇ ଠିକାଦାରଙ୍କ ଜେସିବି ଉପରକୁ ବୋମାମାଡ଼ ହୋଇଥିଲା ।ସେହିଭଳି ଅଗଷ୍ଟ ମାସରେ ବାଙ୍କୀ ଥାନା ରାମଚନ୍ଦପୁର ଗାଁରେ ବୋମାମାଡ଼ ହୋଇଥିବା ବେଳେ ସେଥିରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନର ବିବାଦରୁ ସେତେବେଳେ ବୋମା ଫୁଟିଥିଲା ।
Comments ସମସ୍ତ ମତାମତ