ମୁଖ୍ୟ ଖବର
ପାଟନା (ବିହାର): ବିହାରର ବୈଶାଳୀ ଜିଲ୍ଲାରେ ମଙ୍ଗଳବାରବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ କିଛି ଛୋଟ ପିଲାଙ୍କ ସମେତ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନେକ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ରାଘୋପୁର ଥାନା ଅଞ୍ଚଳର ରାମପୁର ଶ୍ୟାମଚାନ୍ଦ ଗାଁ ନିକଟରେ ଗଙ୍ଗା ନଦୀରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କିଛି ଲୋକ ଏକ ଭୋଜିରେ ସାମିଲ ହେବା ପାଇଁ ଏକ ଡଙ୍ଗାରେ ନିକଟସ୍ଥ ଏକ ଗାଁକୁ ଯାଇଥିଲେ । ସେମାନେ ଫେରିବା ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାରେ ପ୍ରାୟ 15ରୁ 20 ଜଣ ଥିଲେ । ନଦୀ ମଝିରେ ଡଙ୍ଗାଟି ହଠାତ୍ ଓଲଟି ପଡ଼ିବା ଫଳରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଗଭୀର ପାଣିରେ ପଡ଼ିଯାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନିକଟସ୍ଥ ଗ୍ରାମବାସୀମାନେ ଘଟଣାସ୍ଥଳରେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ବୈଶାଳୀ ଜିଲ୍ଲା ଜିଲ୍ଲାପାଳ ବର୍ଷା ସିଂହ ଏବଂ ଏସ୍ଏସ୍ପି ଶୁଭାଙ୍କ ମିଶ୍ର, ଅନ୍ୟ ପୋଲିସ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ନଦୀରୁ 14 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ କହିଛି ଯେ, ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ପଠାଯାଇଛି ।
ସେପଟେ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ 3 ଜଣ ଝିଅଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତ ଝିଅମାନଙ୍କ ବାପା କହିଛନ୍ତି, "ସମସ୍ତେ ଡଙ୍ଗାରେ ସିଂହେଶ୍ୱର ରାୟଙ୍କ ଘରକୁ ଭୋଜି ପାଇଁ ଯାଇଥିଲେ । ବାଟରେ ଡଙ୍ଗାଟି ବୁଡ଼ିଗଲା । ସେଥିରେ 15ରୁ 20 ଜଣ ଲୋକ ଥିଲେ । ମୋର ତିନି ଝିଅ, ଅଙ୍କିତା, ସୁନିତା ଏବଂ ଅମୃତା ପାଣିରେ ବୁଡ଼ି ଗଲେ ।"
ବୈଶାଳୀ ଜିଲ୍ଲାପାଳ ବର୍ଷା ସିଂହ କହିଛନ୍ତି, "ଏକ ଦୁଃଖଦ ଘଟଣା ଘଟିଛି । ରାତି ପାଖାପାଖି 8.30 ସମୟରେ ସୂଚନା ମିଳିଥିଲା ଯେ 20 ଜଣ ପିଲା ଏକ ଛୋଟ ଡଙ୍ଗାରେ ଏକ ଭୋଜି ପାଇଁ ପଡ଼ୋଶୀ ଗାଁକୁ ଯାଉଥିଲେ । ଡଙ୍ଗାଟି ବୁଡ଼ି ଯାଇଥିଲା, ଯେଉଁଥିରେ 14 ଜଣ ପିଲାଙ୍କର ମୃତ୍ୟୁ ହୋଇଛି । 7 ଜଣଙ୍କୁ ଉଦ୍ଧାର କରାଯାଇ NMCHକୁ ନିଆଯାଇଛି । ସମସ୍ତେ ବିପଦମୁକ୍ତ ଅଛନ୍ତି ।"
Comments ସମସ୍ତ ମତାମତ