Share on :
0
Date: Jul 19, 2026 Views: 3161
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଅଂଚଳରୁ ଡେଙ୍ଗୁ ଦମନ ପାଇଁ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ମୁଖ୍ୟତଃ ଜନ ସଚେତନତା ସୃଷ୍ଟି କରିବା, ମଶା ବଂଶ ଉତ୍ପତ୍ତିସ୍ଥଳଗୁଡିକୁ ଚିହ୍ନଟ କରିବା ସହ ସେଗୁଡିକୁ ଧ୍ୱଂସ କରିବାରେ ବିଏମ୍ ସି ଜୋରଦାର ଉଦ୍ୟମ ଜାରି ରଖିଛି । କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶ କ୍ରମେ ତିନୋଟି ଜୋନରେ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍ ପ୍ରତି ଓ୍ୱାର୍ଡ, ଗଳି, କନ୍ଦି, ସାହି, ବସ୍ତି ଆଦି ତନ୍ନତନ୍ନ କରି ସର୍ଭେ କରିବା ସହ ମଶା ବଂଶ ନାଶ କରିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛି । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ କର୍ମୀ, ସ୍ୱଚ୍ଛ ସାଥୀ, ଗୋଷ୍ଠୀ ସଂଚାଳକ, ସ୍ୱତନ୍ତ୍ର ଆଣ୍ଟି ଲାର୍ଭା ଟିମ୍, ନିୟୋଜିତ ସ୍ୱେଚ୍ଛାସେବୀ ପ୍ରମୁଖ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ମଶା ଲାର୍ଭା ଉତ୍ପତ୍ତି ସ୍ଥଳଗୁଡିକୁ ନଷ୍ଟ କରୁଛନ୍ତି ।
ଜୁଲାଇ 1 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ସହରର 40 ହଜାର 639 ପରିବାରର 1 ଲକ୍ଷ 27 ହଜାର 517 ଜଣ ବ୍ୟକ୍ତିଙ୍କୁ ଭେଟି ଡେଙ୍ଗୁ ରୋଗର ଭୟାବହତା ସଂପର୍କରେ ବୁଝାଇଛନ୍ତି । ସେମାନଙ୍କ ଘରେ ବା ଆଖପାଖରେ ଥିବା ମଶା ଉତ୍ସଗୁଡିକୁ ନଷ୍ଟ କରିଛନ୍ତି । ଏଥିରୁ 3 ହଜାର 554 ଜଣଙ୍କ ଘରେ ମଶା ଲାର୍ଭା ସ୍ଥାନ ଚିହ୍ନଟ କରିବା ସହ ସେଗୁଡିକୁ ନଷ୍ଟ କରାଯାଇଛି । ତେବେ ଘରେ ଏବଂ ବାହାରେ ଏଯାବତ୍ 34 ହାଜର 283ଟି ମଶା ଲାର୍ଭା ଉତ୍ପନ୍ନ ହେଲା ଭଳି ପାଣି ଜମି ରହୁଥିବା ପାତ୍ର ଚିହ୍ନଟ କରାଯାଇଛି ଏବଂ ସେଗୁଡିକୁ ସ୍ଥାନାନ୍ତର କରାଯାଇଛି । ସେଥିରୁ 2 ହଜାର 968ଟି ନିଶ୍ଚିତ ମଶା ଲାର୍ଭା ଉତ୍ସ ଚିହ୍ନଟ କରାଯିବା ସହ ସେଗୁଡିକୁ ନଷ୍ଟ କରିଦିଆଯାଇଛି ।
ବର୍ତ୍ତମାନ ଆଣ୍ଟି ଲାର୍ଭା ଅପରେସନ କାର୍ଯ୍ୟରେ 220 ଜଣ କୁଶଳୀ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନଙ୍କୁ ମଶା ତେଲ ସିଚନ କରିବା ପାଇଁ 90 ଟି ସ୍ପ୍ରେ ମେସିନ ରହିଛି । ଏହି ସ୍ପ୍ରେ ମେସିନରେ ଦୈନିକ ସବୁ ଓ୍ୱାର୍ଡରେ ମଶା ତେଲ ସିଚନ କରାଯାଉଛି । ସେମାନେ ବିଭିନ୍ନ ଉତ୍ସରେ ଟେମେଫସ୍ ଏବଂ ଆଣ୍ଟି ଲାର୍ଭାସାଇଡ୍ ସହରର ବିଭିନ୍ନ ସ୍ଥାନରେ ସିଚନ କରିସାରିଲେଣି । ମଶା ଧୁଆଁ ସହିତ ଏହି କାର୍ଯ୍ୟ ନିୟମିତ ଭାବେ ଜାରି ରହିଛି ।
ଏବେ ସୁଦ୍ଧା 2 ହଜାର 403ଟି ଆଇଇସି କାର୍ଯ୍ୟକ୍ରମ କରାଯାଇଛି । ସେହିପରି ବିଭିନ୍ନ ଓ୍ୱାର୍ଡରେ 45ଟି ଗୋଷ୍ଠୀ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିବା ଲୋକମାନଙ୍କୁ ଲିଫଲେଟ୍ ବଣ୍ଟନ କରାଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡେଙ୍ଗୁ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ 75ଟି ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ଡେଙ୍ଗୁ ରୋଗ ରକ୍ତ ନମୂନା ମଧ୍ୟ ପରୀକ୍ଷା କରାଯାଉଛି । ବର୍ତ୍ତମାନ ସୁଦ୍ଧା 10 ହଜାର 618ଗୋଟି ରକ୍ତ ନମୂନା ସଂଗ୍ରହ ହୋଇଥିବା ବେଳେ ସେଥିରୁ 12 ଗୋଟି ପଜିଟିଭ ବାହାରିଛି । ଚଳିତ ବର୍ଷ ଡେଙ୍ଗୁ ପଜିଟିଭ୍ ଆନୁପାତିକ ହାର 0.11 ରହିଛି । ଏହି 12 ଗୋଟି ପଜିଟିଭରୁ ଭୁବନେଶ୍ୱର ବାହାରର ଜଣେ ରୋଗୀ ରହିଛନ୍ତି । 2025-26 ତୁଳନାରେ ଚଳିତ ବର୍ଷ ବହୁ କମ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଏମ୍ ସିର ଆଗୁଆ ପ୍ରତିଶେଧ ମୂଳକ ପଦକ୍ଷେପ ଏବଂ ଜନ ସଚେତନତା ପାଇଁ ଏପରି ସମ୍ଭବ ହୋଇପାରିଛି ବୋଲି ଉଭୟ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା କହିଛନ୍ତି । ସଂପ୍ରତି ବର୍ଷା ଋତୁ ଚାଲିଛି । ଆଗାମୀ ଦିନରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଲୋକମାନେ ସଚେତନ ହେବା ସହ ନିଜ ଆଖପାଖରେ ଥିବା ମଶା ବଂଶ ଉତ୍ସଗୁଡିକୁ ନଷ୍ଠ କରିଦେବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି ।
Comments ସମସ୍ତ ମତାମତ