Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଏମସି ପକ୍ଷରୁ ଦୁଇଟି ସ୍ଥାନରେ ଉଦଘାଟିତ ହେଲା ଶୀତଳ ଆଶ୍ରୟସ୍ଥଳ

    Share on :
    ajab-Image
    Date: May 16, 2026    Views: 2914

     ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ପାଇଁ କଳ୍ପନା ଛକ ଓ ଫାୟାର ଷ୍ଟେସନ ନିଟକରେ ଦୁଇଟି ଅସ୍ଥାୟୀ ଶୀତଳ ଆଶ୍ରୟସ୍ଥଳ ଆଜି ଉଦଘାଟିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦୁଇଟି ଶୀତଳ ଆଶ୍ରୟସ୍ଥଳର ଶୁଭ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଜୋନାଲ କମିଶନର ଆଶନୀ ଏ.ଏଲ୍, ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । 
    ସଂପ୍ରତି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ହୋଇଥିବାରୁ, ଏଠାକୁ ବିଭିନ୍ନ କାର୍ଯ୍ୟରେ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ହଜାର ହଜାର ଲୋକ ଆସୁଛନ୍ତି । ପ୍ରମୁଖ ବସ ରହଣି ସ୍ଥାନରେ ଶହ ଶହ ଲୋକ, ବୃଦ୍ଧ, ବୃଦ୍ଧା, ଶିଶୁ ବସକୁ ଅପେକ୍ଷା କରି ରୁହନ୍ତି । ଖରାରେ ଦୀର୍ଘ ସମୟ ରହିଲେ ସନ୍ ଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ ରହିଛି । ଏହାକୁ ଏଡାଇବା ପାଇଁ ଏବଂ ପଥଚାରୀଙ୍କୁ ପ୍ରବଳ ଖରାରୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରିବା ଉଦେଶ୍ୟରେ ବିଏମ୍ ସି ପକ୍ଷରୁ ଏହି ଦୁଇଟି ଶୀତଳ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । କାରଣ ଏଠାରେ ଦୈନିକ ଶହ ଶହ ଲୋକ ବସକୁ ଅପେକ୍ଷା କରିଥାନ୍ତି ଏବଂ ଏହି ସ୍ଥାନରେ ଅଧିକ ଲୋକଙ୍କର ସମାଗମ ହୋଇଥାଏ । ଏହି ଦୁଇଟି ଶୀତଳ ଆଶ୍ରୟସ୍ଥଳ ପରୀକ୍ଷାମୂଳକ ଭାବେ କରାଯାଇଛି ବୋଲି କହିଛନ୍ତି ମାନନୀୟା ମେୟର । ଆଗାମୀ ଦିନରେ ଆବଶ୍ୟକ ହେଲେ ଅଧିକ ଶୀତଳ ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । 
    ଘର ଭିତରେ ବେଣା ଚେରର ପଟି ଲାଗିବା ସହ ଉପରେ ସିଲିଂ ଫ୍ୟାନ ମଧ୍ୟ ରହିଛି । ପ୍ରତି ଘଣ୍ଟାରେ ବେଣାଚେରରେ ପାଣି ଦେବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଲୋକ ନିୟୋଜିତ ହୋଇଛନ୍ତି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସି ନ ଲଗାଇ, ପାରମ୍ପାରିକ ବେଣାଚେରରେ ଏହି ଶୀତଳ ବିଶ୍ରାମସ୍ଥଳ ନିର୍ମାଣ କରାଯାଇଛି । ବେଣାଚେର ପରିବେଶ ଅନୁକୂଳ, ଏହାର ଶୀତଳ ବାୟୁ, ଶ୍ୱାସ କ୍ରିୟାରେ ବେଶ ସହାୟକ ହୋଇଥାଏ ଏବଂ ଗ୍ରୀଷ୍ମ ତାପରୁ ଆଶ୍ୱସ୍ତି ପ୍ରଦାନ କରିଥାଏ ବୋଲି କୁହାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook