Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଏମସି ପକ୍ଷରୁ 64 ଜଣ ହିତାଧିକାରୀଙ୍କୁ ଦିଆଗଲା ସ୍ମାର୍ଟ କିଓସ୍କ

    Share on :
    ajab-Image
    Date: Mar 21, 2026    Views: 2172

    ଭୁବନେଶ୍ୱର : ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥରେ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଗଲା ସ୍ମାର୍ଟ କିଓସ୍କ । ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, 25 ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀମତୀ ମାନସୀରାଣୀ ସୁନ୍ଦରାୟ, 35 ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ, 46 ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀମତୀ ପୁଷ୍ପା ରାଉତ, ଡେପୁଟି କମିଶନର ଶ୍ରୀ ଅଜୟ କୁମାର ମହାନ୍ତି, ଅଡିଟର ଶ୍ରୀମତୀ ସୌଦାମିନୀ ବେହେରା ସହକାରୀ କମିଶନର ଶ୍ରୀ ସତ୍ୟଜିତ୍ ଦାଶ ପ୍ରମୁଖ ମଂଚାସୀନ ଥିଲେ । 
    ତାଲିକାଭୁକ୍ତ ମୋଟ 104 ଜଣ ହିତାଧିକାରୀଙ୍କ ମଧ୍ୟରୁ ଆଜି 64 ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ଜନପଥରେ ଖାଲି ଥିବା 66ଟି ସ୍ମାର୍ଟ କିଓସ୍କ ଆବଣ୍ଟନ କରାଯାଇଛି । ପୂର୍ବରୁ 35 ଜଣ ହିତାଧିକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ସେମାନଙ୍କୁ 35ଟି କିଓସ୍କ ଲଟେରୀ ମାଧ୍ୟମରେ ପ୍ରଦାନ କରାଯାଇଛି । ସେହିପରି ବଳକାଥିବା 29ଟି କିଓସ୍କ ମଧ୍ୟରୁ ବିଦ୍ୟାଙ୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା 5ଟିକୁ ମଧ୍ୟ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇଛି । ଅବଶିଷ୍ଟ 64 ଜଣ ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଲଟେରୀ ମାଧ୍ୟମରେ 26 ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ପରେ 26 ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଲଟେରୀ ମାଧ୍ୟମରେ କିଓସ୍କ ଆବଣ୍ଟନ କରାଯାଇଛି । ମାଷ୍ଟର କ୍ୟାଣ୍ଟିନ, ରାମ ମନ୍ଦିର ଓ କେନ୍ଦ୍ରୀୟ ବିଦ୍ୟାଳୟ-1 ସମ୍ମୁଖରେ ଥିବା କିଓସ୍କଗୁଡିକୁ ଏହି ସବୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅବଶିଷ୍ଟ 38 ଜଣ ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କିଓସ୍କ ପ୍ରଦାନ କରାଯିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । 
    କିଓସ୍କ ପାଇଥିବା ଲୋକ କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟକୁ ଭଡା ନ ଦେବା ପାଇଁ ତାଗିଦ କରିଦେଇଛନ୍ତି ମାନନୀୟା ମେୟର । ଅପରପକ୍ଷେ କିଓସ୍କ ହସ୍ତାନ୍ତର ପରେ ପରେ ସଂଗେ ସଂଗେ ପୁରୁଣା ସ୍ଥାନ ଛାଡିବାକୁ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି । ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । 
    ଲଟେରୀ ମାଧ୍ୟମରେ କିଓସ୍କ ପାଇବା ପରେ ଅନେକ ବ୍ୟକ୍ତି ଖୁସିରେ କାନ୍ଦି ପକାଇଥିଲେ । ଆଗାମୀ ଦିନରେ ତାଙ୍କ ପରିବାର ଭରଣ ପୋଷଣର ଏକମାତ୍ର ମାଧ୍ୟମ ଏହି କିଓସ୍କ ହେବ ବୋଲି କାନ୍ଦି କାନ୍ଦି କହିଥିଲେ । ସଂପୂର୍ଣ୍ଣ ସ୍ୱଚ୍ଛତା ଉପାୟ ଅବଲମ୍ବନ କରି ସମସ୍ତଙ୍କ ସମ୍ମୁଖରେ ଲଟେରୀ ମାଧ୍ୟମରେ କିଓସ୍କ ଆବଣ୍ଟନ କରାଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।  
    ଉପାୟୁକ୍ତ ଶ୍ରୀ ଅଜୟ କୁମାର ମହାନ୍ତି ଲଟେରୀ ପରିଚାଳନା କରିଥିବା ବେଳେ ସହକାରୀ କମିଶନର ଶ୍ରୀ ସତ୍ୟଜିତ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook