ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡ଼ିର ପୋଲାଭରମ ଚିନ୍ତା ଉପରେ କଡା ଜବାବ ରଖିଛନ୍ତି ମାଲକାନଗିରି ବିଜେପି ବିଧାୟକ ନରସିଂହ ମାଡକମୀ । ବିଜେଡ଼ିର ସରକାର ସମୟରେ ୨୦୦୪ରେ ପ୍ରକଳ୍ପ ଆରମ୍ଭ ହୋଇଛି । ସେତେବେଳେ ବିଜେଡ଼ି ଦଳର ଜଳସମ୍ପଦ ମନ୍ତ୍ରୀ ଥିଲେ, ହେଲେ ଆଜି ବିଜେଡ଼ି ବିସ୍ଥାପିତ ହେଇଥିବା ମାଲକାନଗିରି ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେଡ଼ି ସରକାରରେ ଥିଲା ବେଳେ କୌଣସି ପଦକ୍ଷେପ ନେଇନଥିଲା । ୨୪ ବର୍ଷ ଧରି ବିଜେଡ଼ି ମୁହଁରେ ତୁଣ୍ଡି ବାନ୍ଧି ରହିଲା । କୌଣସି ସର୍ଭେ, ପଲ୍ଲୀସଭା କି କ୍ଷୟକ୍ଷତିର ଆକଳନ ବି କଲେ ନାହିଁ । ଆନ୍ଧ୍ର ସରକାର ୫୦ରୁ ଅଧିକ ଥର ଆଲୋଚନା ପାଇଁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କିନ୍ତୁ ନବୀନ ଥରେ ବି ଆଲୋଚନା ପାଇଁ ଗଲେ ନାହିଁ ବୋଲି ସେ କହିଛନ୍ତି ।
୨୪ ବର୍ଷ ଶାସନରେ ଥିଲା ବେଳେ ଲୋକଙ୍କ ପାଇଁ ବିଜେଡ଼ି କିଛି କଲା ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ । ଏହାସହ ବିଜେଡ଼ି ପାଖରେ କେତେ ଅଞ୍ଚଳ ବୁଡିବ, କେତେ କ୍ଷୟକ୍ଷତି ହେବ, କେଉଁ ଅଞ୍ଚଳ ଲୋକ ବିସ୍ଥାପିତ ହେବେ ତାର କୌଣସି ରିପୋର୍ଟ ନାହିଁ । ଏପଟେ ଏବେ ପୋଲାଭରମ ପ୍ରକଳ୍ପର ୯୦ ଭାଗ କାମ ସରିଗଲାଣି, ଆଉ ମାତ୍ର ୧୦ ଭାଗ କାମ ବାକି ଅଛି ତେଣୁ ବର୍ତ୍ତମାନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡ଼ି ହିଁ ଏଥିପାଇଁ ଦାୟୀ ବୋଲି କହିଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ।
Comments ସମସ୍ତ ମତାମତ