ମୁଖ୍ୟ ଖବର
ଭୁବନେଶ୍ୱର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡ଼ି କର୍ମୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ଆହା ପଦେ କହିବା ବଦଳରେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ କାର୍ଯ୍ୟକୁ ତାତ୍ସଲ୍ୟ କରିଛନ୍ତି । କରୋନା ବିରୋଦ୍ଧରେ ଲଢେ଼ଇ ପାଇଁ ଗଞ୍ଜାମକୁ ଡେପୁଟେସନରେ ଯାଉଥିବା ଡାକ୍ତରମାନଙ୍କୁ ବିରୋଧ କରାଯାଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜାମ ଜିଲ୍ଲାରେ ମହାମାରୀ ନିୟନ୍ତ୍ରଣ ଲାଗି ଅଧିକ ଡାକ୍ତର ନିଯୁକ୍ତି ହେବା ସେମାନେ ଚାହାଁନ୍ତି ନାହିଁ । ବିରୋଧୀ ଦଳ ନେତା କରୋନା ଯୁଦ୍ଧରେ ଗଞ୍ଜାମକୁ ସମର୍ଥନ କରିନଥିଲେ । ଏଥିରୁ ବିଜେପିର ମନୋଭାବ ପଦାରେ ପଡ଼ିଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବକ୍ସିପାତ୍ର କହିଛନ୍ତି ଯେ ଗଞ୍ଜାମରେ ଲୋକମାନେ ପୋକ ମାଛି ଭଳି ମରୁଛନ୍ତି । ଲୋକଙ୍କୁ ପୋକ ଓ ମାଛି ବୋଲି ସମ୍ବୋଧନ କରିବା ଫଳରେ ଗଞ୍ଜାମ ଲୋକଙ୍କ ପ୍ରତି ବିଜେପିର ମନୋଭାବ କ’ଣ ତାହା ପଦାରେ ପଡ଼ିଯାଇଛି । ଗଞ୍ଜାମରେ ଜିଲ୍ଲାରେ କରୋନା ମୁକାବିଲାରେ ଲାଗିଥିବା ଯୋଦ୍ଧାମାନଙ୍କ ପ୍ରତି ତାତ୍ସଲ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ତାତ୍ସଲ୍ୟ କରିବା ବଦଳରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ ତାଙ୍କ ଦଳର ନେତାମାନେ କିଭଳି କରୋନା କଟକଣା ନିୟମ ମାନିବେ ଓ ସାମାଜିକ ଦୂରତା ରକ୍ଷା କରିବେ ତାହା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ