ମୁଖ୍ୟ ଖବର
ଆସନ୍ତାକାଲି ସଂସଦର ସ୍ବତନ୍ତ୍ର ଅଧିବେଶନ। ଆସିପାରେ ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ବିଲ୍। ୧୩୨ତମ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ ପୂର୍ବରୁ ରୋଚକ ହେଉଛି ଜାତୀୟ ରାଜନୀତି। କେନ୍ଦ୍ର ସରକାର ଡକାଇଥିବା ସ୍ବତନ୍ତ୍ର ଅଧିବେଶନ ଆଗରୁ ବିଜେପିକୁ ମିଳିଛି ଡିଏମକେର ବଳ। ପୂର୍ବରୁ ବିଲକୁ ଏମ୍.କେ. ଷ୍ଟାଲିନଙ୍କ ଡିଏମକେ ତୀବ୍ର ବିରୋଧ କରୁଥିବାବେଳେ ଏବେ ବିଲକୁ ସମର୍ଥନ କରିବାକୁ ଘୋଷଣା କରିଛି। ଫଳରେ ବିଲ୍ ପାସ୍ ପାଇଁ ସଂଖ୍ୟା ଯୋଗାଡ଼ର ଷ୍ଟ୍ରାଟେଜି କରୁଥିବା ମୋଦି ସରକାରଙ୍କ ପାଇଁ ରାସ୍ତା ସହଜ ହେଉଛି।
ଡିଲିମିଟେସନ୍ ବିଲ୍ ପାସ୍ ଲାଗି ଲୋକସଭାରେ ଆବଶ୍ୟକ ଦୁଇ ତୃତୀୟାଂସ ସଂଖ୍ୟା। ଲୋକସଭାରେ ୫୪୦ ସଦସ୍ୟଙ୍କ ମଧ୍ୟରୁ ସମ୍ବିଧାନ ସଂଶୋଧନ ବିଲ୍ ପାଇଁ ଆବଶ୍ୟକ ୩୬୦ ସଦସ୍ୟଙ୍କ ସମର୍ଥନ। ବିଜେପି ନେତୃତ୍ବାଧିନ ଏନଡିଏ ପାଖରେ ସଂଖ୍ୟା ରହିଛି ୩୨୦। ଏବେ ଡିଏମକେ ସମର୍ଥନ ଜଣାଇବା ପରେ ଦଳର ୨୨ ସାଂସଦଙ୍କୁ ମିଶାଇ ଏନଡିଏର ସଂଖ୍ୟା ପହଞ୍ଚିଛି ୩୪୨ରେ। ସେହିଭଳି ଶରଦ ପାୱାରଙ୍କ ଏନସିପିର ୮ ଓ ଏବଂ YSRCPର ୪ ସାଂସଦ ମଧ୍ୟ ଏନଡିଏକୁ ସମର୍ଥନ ଜଣାଇବା ଏକ ପ୍ରକାର ନିଶ୍ଚିତ। ଏହି ୨ ଦଳର ସାଂସଦଙ୍କୁ ମିଶାଇଲେ ଏନଡିଏର ସଂଖ୍ୟା ୩୫୪ରେ ପହଞ୍ଚୁଛି।
ଅବଶିଷ୍ଟ ୬ ସଦସ୍ୟଙ୍କ ସମର୍ଥନ ପାଇଁ ବିଜେପି ୬ ସ୍ବାଧୀନ ସାସଂଦ ଏବଂ ବିଆରଏସ ଭଳି ଅନ୍ୟ ଛୋଟ ଛୋଟ ଦଳଙ୍କ ସହାୟତା ଲୋଡ଼ି ଲୋକସଭାରେ ବିଲ୍ ପାସ୍ କରାଇବାରେ ସଫଳ ହେବ ବୋଲି ଅନୁମାନ କରୁଛି। ଏପଟେ ରାଜ୍ୟସଭାରେ ୧୬୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଏନଡିଏ ପାଖରେ ସଂଖ୍ୟା ଅଛି ୧୫୪। ତେଣୁ ଆଉ ୯ ସଦସ୍ୟଙ୍କ ସମର୍ଥନ ପାଇଁ ଏନଡିଏକୁ ଅସୁବିଧା ହୋଇନପାରେ।
Comments ସମସ୍ତ ମତାମତ