Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୌର ନିର୍ବାଚନରେ ବିଜେପିର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

    Share on :
    ajab-Image
    Date: Nov 11, 2026    Views: 2666

    ନୂଆଦିଲ୍ଲୀ: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା ମତଦାନରେ ହିଁ ଭାଜପାର ୭୭ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଗତ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ତ୍ରିପୁରା ରାଜ୍ୟ ନିର୍ବାଚନ ଆୟୋଗ (SEC) ଶାସକ ଭାଜପାର ୭୭ ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି। ଏହା ସହିତ ଭୋଟ ପୂର୍ବରୁ ୭୭ଟି ଆସନରେ ଭାଜପାର ବିଜୟ ସୁନିଶ୍ଚିତ ହୋଇଛି।

    ତ୍ରିପୁରା ରାଜ୍ୟ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ୫ଟି ପୌରାଞ୍ଚଳର ୬୫ଟି ଆସନରେ ଅନ୍ୟ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଦେଇନଥିଲେ। ଏଥିରେ ଦକ୍ଷିଣ ତ୍ରିପୁରା ଜିଲାର ଶାନ୍ତିର ବଜାର, ପଶ୍ଚିମ ତ୍ରିପୁରା ଜିଲାର ରାଣୀର ବଜାର ଏବଂ ଧଲାଇ ଜିଲାର କମଳପୁର, ଜିରାନିଆ ଓ ମୋହନପୁର ପୌରାଞ୍ଚଳ ସାମିଲ ରହିଛି। ଫଳରେ ଏହି ୬୫ଟି ଆସନରେ ଭାଜପାର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

    ଏହାବ୍ୟତୀତ ଧଲାଇ ଜିଲାର ଅମ୍ବାସା, ସିପାହିଜଲା ଜିଲାର ବିଶାଳଗଡ଼ ଏବଂ ଖୋୱାଇ ଜିଲାର ତେଲିଆମୁରା ଭଳି ୩ଟି ପୌରାଞ୍ଚଳର ୧୨ଟି ଆସନରେ ମଧ୍ୟ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

    ଅନ୍ୟପଟେ ବିରୋଧୀ ଦଳ CPIM ଓ କଂଗ୍ରେସର ନେତାମାନେ ଶାସକ ଦଳର କର୍ମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳର ପ୍ରାର୍ଥୀମାନଙ୍କୁ ଶାସକ ଦଳର ଲୋକମାନେ ଧମକ ଦେଇଥିବା ସେମାନେ କହିଛନ୍ତି। ଏପରିକି ଏହି ୫ଟି ପୌରାଞ୍ଚଳର ନିର୍ବାଚନରେ ଭାଗ ନନେବା ପାଇଁ ପ୍ରାର୍ଥୀଙ୍କ ପ୍ରସ୍ତାବକମାନଙ୍କୁ ମଧ୍ୟ ଭୟଭୀତ କରାଯାଇଥିବା ଅଭିଯୋଗ ହୋଇଛି।

    CPIMର ତ୍ରିପୁରା ରାଜ୍ୟ ସମ୍ପାଦକ ତଥା ବିରୋଧୀ ଦଳ ନେତା ଜିତେନ୍ଦ୍ର ଚୌଧୁରୀଙ୍କ ଅନୁସାରେ, ବାମପନ୍ଥୀ ଦଳର ପ୍ରାର୍ଥୀମାନେ ଯେପରି ନିର୍ବାଚନ ଲଢ଼ି ନପାରିବେ, ସେଥିପାଇଁ ଭାଜପା କର୍ମୀମାନେ ତାଙ୍କ ଦଳର ନେତା, ପ୍ରାର୍ଥୀ ଓ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୭ରେ ହେବାକୁ ଥିବା ତ୍ରିପୁରା ପୌର ନିର୍ବାଚନରେ CPIM ଓ କଂଗ୍ରେସ ମିଳିତ ଭାବେ ଲଢ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ଦଳ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହେବା ସତ୍ତ୍ୱେ କୌଣସି ସକାରାତ୍ମକ ଫଳାଫଳ ମିଳିନଥିଲା। ଫଳରେ ଦୁଇ ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରିନଥିଲା।

    Maximum 500 characters

    ରାଜନୀତି View all

    Find Us on Facebook