Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସେବା ସଂକଳ୍ପ ଯାତ୍ରାର ଶୁଭାରମ୍ଭ, ଭୁବନେଶ୍ୱରରୁ ବାରଣାସୀ ଗଲେ ୩୦ ଜିଲ୍ଲାର ୩୦ ଯୁବକ

    Share on :
    ajab-Image
    Date: Sep 16, 2026    Views: 2651

    ଭୁବନେଶ୍ବର: ସେବା ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବାରଣାସୀରୁ ବାଡ଼ନଗର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଜେପି ଯୁବ ମୋର୍ଚ୍ଚାର ଏକ ଟିମ ଭୁବନେଶ୍ୱର ଷ୍ଟେସନରୁ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି । ପତାକା ଦେଖାଇ ଏହି ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ରାଜ୍ୟର 30 ଜିଲ୍ଲାରୁ 30 ଜଣ ଯୁବକ ଭୁବନେଶ୍ୱରରୁ ବାହାରି ବାରଣାସୀରେ ପହଞ୍ଚିବେ । 25 ଦିନ ଧରି ପ୍ରବାସରେ ଯିବେ ଯୁବକ ମାନେ । ସେମାନେ 1800 କିଲୋମିଟର ଯାତ୍ରା କରିବେ ।
    ଜଳ, ଜନ, ସେବା ଏହି 3 ମନ୍ତ୍ରକୁ ପାଥେୟ କରି ଦେଶର କୋଣ ଅନୁକୋଣରୁ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ୱର ବିଶ୍ୱନାଥଙ୍କ ପୀଠରୁ ସୋମନାଥଙ୍କ ପୀଠ ଯାଏଁ ଅଭିଯାନ ଚାଲିବ । ମୋଦିଙ୍କ ସମୟର ବିକାଶ, ଆଧୁନୀକିକରଣ, ନୀତି ଏବଂ ଅନେକ କିଛି ବାବଦରେ ସେମାନେ ଶିକ୍ଷା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
    ସେପଟେ ଓଡ଼ିଶାରେ ଆଗାମୀ 2027 ପଞ୍ଚାୟତ ନିର୍ବାଚନ ଶାସକ ଦଳ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅଗ୍ନିପରୀକ୍ଷା । 2024 ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପାଇଁ ଏହି ଗ୍ରାମାଞ୍ଚଳ ନିର୍ବାଚନ ଗ୍ରାଉଣ୍ଡରେ ନିଜର ପ୍ରଭାବ ସାବ୍ୟସ୍ତ କରିବାର ସବୁଠାରୁ ବଡ଼ ସୁଯୋଗ । ସେଥିପାଇଁ ବିଜେପି ତାର ଟ୍ରମ୍ପ କାର୍ଡକୁ ପୁଣି ଥରେ ଖେଳିବାକୁ ଯାଉଛି । ଯେଉଁ ମୋଦି ବ୍ରାଣ୍ଡ ପାଇଁ 2014 ରେ ବିଜେପି ଦେଶରେ ଶାସନ କ୍ଷମତାକୁ ଆସିଥିଲା ଏବଂ 2024 ରେ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ଶାସନ କଳ ହାତେଇଥିଲା ଏବେ ସେହି ବ୍ରାଣ୍ଡକୁ ନେଇ ପୁଣି ଥରେ ପଂଚାୟତ ଓ ପୌର ନିର୍ବାଚନ ହାତେଇବାକୁ ଯୋଜନା ଆରମ୍ଭ କରିଛି |

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ସର୍ବସାଧାରଣ ସେବାରେ ତାଙ୍କର 25 ବର୍ଷ ପୂର୍ତ୍ତିକୁ ସେବା ସଂକଳ୍ପ ଅଭିଯାନ ଭାବେ ଏକ ମାସ ବ୍ୟାପୀ ପାଳନ କରୁଛି ସମଗ୍ର ଦେଶ । ତେବେ ରାଜ୍ୟରେ ମଧ୍ୟ ସେପ୍ଟେମ୍ବର 17 ରୁ ଅକ୍ଟୋବର 17 ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି । ପଂଚାୟତ ପୌର ନିର୍ବାଚନ ପୂର୍ବରୁ ଏହି ଅଭିଯାନକୁ ବୁଥ୍ ସ୍ତରରୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହି ମାଧ୍ୟମରେ ମୋଦିଙ୍କ ବାର୍ତ୍ତା ନେଇ ଲୋକଙ୍କ ଆସ୍ଥାଭାଜନ ହୋଇ ସେମାନଙ୍କ ସମସ୍ୟା ସମାଧାନ କରି ଦଳକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

    ପଂଚାୟତ ପୌର ନିର୍ବାଚନ ହାତେଇବାକୁ ଦୁଇଟି ବଡ଼ ଭୋଟ ବ୍ୟାଙ୍କ ଯୁବ ଅର୍ଥାତ ଜେନ ଜି ଏବଂ ମହିଳାଙ୍କ ପାଖକୁ ପହଞ୍ଚିବାକୁ ଯୋଜନା କରିଛି ଦଳ । ସେବା ସଂକଳ୍ପ ଅଭିଯାନରେ 13 ଟି କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେପି । ଯାହା ମାଧ୍ୟମରେ ବିକଶିତ ଭାରତ 2047'ର ସଂକଳ୍ପ ନିଆଯିବ । ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ ଅବସରରେ ରାଜ୍ୟରେ ସବୁ ମହିଳା ଘରେ ଘରେ ଜାଳିବେ ଆଶୀର୍ବାଦ ଦୀପ । ରାଜ୍ୟର ସବୁ ବ୍ଲକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର 70 ଲକ୍ଷ୍ୟ ମହିଳା, 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ସୁପରିଚାଳନା କରିବେ ।

    ସେହିପରି ଯୁବ ମୋର୍ଚ୍ଚା ପକ୍ଷରୁ 17 ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ରାଜ୍ୟର ସବୁ ଜିଲ୍ଲାରେ ରକ୍ତ ଦାନ ଶିବିର ଆୟୋଜନ କରି ସମସ୍ତ ଯୁବ ବର୍ଗକୁ ଏକ କରି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ବିଜେପି ଯୁବ ମୋର୍ଚ୍ଚା । ଏହା ସହିତ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ଗାଥା, ଅଙ୍ଗନବାଡି ଉତ୍ସବ, ପରିବର୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବା ଓ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲୀ ରାଷ୍ଟ୍ର, ଜନସେବାର ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସଂକଳ୍ପର ବାର୍ତାକୁ ତଳ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି ।

    ପଂଚାୟତ ନିର୍ବାଚନ ରାଜ୍ୟର ତିନି ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ରାଜ୍ୟରେ ଶାସନ ଗାଦିକୁ ଆସିବା ପରେ ନିଜର ଗ୍ରାମୀଣ ଭୋଟ୍ ବ୍ୟାଙ୍କ୍ ଏବଂ ତୃଣମୂଳ ସ୍ତରର ସଂଗଠନକୁ ଆହୁରି ମଜବୁତ କରିବା ବିଜେପି ପାଇଁ ବଡ଼ ଆହ୍ୱାନ ହେବ । ଗତ ବିଧାନସଭା ନିର୍ବାଚନ ପରେ ବିଜେଡି ପାଇଁ ଗ୍ରାମାଞ୍ଚଳରେ ନିଜର ପତିଆରା ଓ ଭୋଟରଙ୍କ ବିଶ୍ୱାସ ଫେରି ପାଇବା ଏକ ବଡ଼ ସୁଯୋଗ ।

    Maximum 500 characters

    ରାଜନୀତି View all

    Find Us on Facebook