ମୁଖ୍ୟ ଖବର
ଭୁବନେଶ୍ଵର : ଏଥର ମାସେ ବ୍ୟାପୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିବ ବିଜେପି । ସେପ୍ଟେମ୍ଵର ୧୭ ରୁ ଅକ୍ଟୋବର ୧୭ ଯାଏଁ ବିଜେପି ସେବା ସଂକଳ୍ପ ଅଭିଯାନ କରିବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ସବୁଠୁ ବଡ଼ ରକ୍ତଦାନ ଶିବିର ଆୟୋଜନ କରିବ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ୧୫ ଦିନ ପାଳନ ହେଉଥିଲା, ଏଥର ରାଷ୍ଟ୍ରୀୟ ଅଧ୍ୟକ୍ଷ ୧ ମାସ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ୨ ବର୍ଷରେ ବାରମ୍ବାର ମୋଦି ଆସିଲେଣି, ତେଣୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଏହି ମାସେ ବ୍ୟାପୀ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ୧୭ ତାରିଖ ସନ୍ଧ୍ୟା ୭ଟାରେ ଘରେ ଘରେ ଆଶୀର୍ବାଦ ଦୀପ ଜାଳିବାକୁ କହିଛନ୍ତି । ସ୍କୁଲ କଲେଜରେ କାର୍ଯ୍ୟକ୍ରମ, ପଥ ପ୍ରାନ୍ତ ନାଟକ ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବାକୁ କାର୍ଯ୍ୟକର୍ତ୍ତାକୁ ଆହ୍ୱାନ ଦେଇଛନ୍ତି ।
ମନମୋହନ ସାମଲ କହିଛନ୍ତି ଯେ, ମୋଦିଙ୍କ ଶାସନରେ ବହୁ ପରିବର୍ତ୍ତନ, ବହୁ ସଂସ୍କାର, ବହୁ ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି । ୨୫ କୋଟି ଲୋକଙ୍କୁ ଦ୍ରାରିଦ୍ର୍ୟ ସୀମାରେଖା ଉପରକୁ ନେବା, ୪ କୋଟି ଲୋକଙ୍କୁ ବାସଗୃହ, ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଇବା, କୋଭିଡ୍ ର ସଫଳ ପରିଚାଳନା, ଦେଶର ବଜେଟ୍ ୨୦ ଲକ୍ଷ କୋଟିରେ ପହଞ୍ଚାଇବା ମୋଦିଙ୍କ ବଡ଼ ସଫଳତା । ତଳ ସ୍ତରର ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ମୋଦିଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ସବୁବେଳେ ରହିଛି । ଆତଙ୍କବାଦରେ ରୋକ୍, ନକ୍ସଲ ମୁକ୍ତ ଭାରତବର୍ଷ ଭଳି ଅସମ୍ଭବ କାମ ସବୁ ମୋଦି କରିଛନ୍ତି । ଭାରତକୁ ବିଶ୍ବର ୪ ନମ୍ବର ଅର୍ଥନୀତି କରିବାରେ ମଧ୍ୟ ସଫଳ ହୋଇଛନ୍ତି ।
ଏଥର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ବଡ଼ ଆୟୋଜନ କରୁଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପ୍ରତ୍ୟେକ ସ୍କୁଲ ଏବଂ କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ ଯେଉଁଥିରେ ବିଧାୟକ ଏବଂ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବେ । ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପରିବର୍ତ୍ତନର କାହାଣୀ ଫଟୋ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ରାସ୍ତା ଏବଂ ଛକରେ ନମୋ ସେବା ଗାଥା ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହେବ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୁବକମାନଙ୍କୁ ସାମିଲ କରାଯିବ । ନେତା ଓ କର୍ମୀମାନେ ସେବା ମୋର ଯୋଗଦାନ କାର୍ଯ୍ୟକ୍ରମରେ ଲୋକଙ୍କ ଦ୍ୱାରରେ ପହଁଚିବେ । ଡବଲ ଇଂଜିନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ରଖିବେ । ମୋଦିଙ୍କ ଶାସନ କାଳର ୨୫ ବର୍ଷରେ ୨୫ ସେବାକୁ ନେଇ ତଳ ସ୍ତରକୁ ନେତା ଯିବେ । ସେବା ସେତୁ ଅଭିଯାନରେ ରଙ୍ଗୋଲି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଜନ ସେବକ ମହାକୁମ୍ଭରେ ଲକ୍ଷେ ୨୫ ହଜାର ଜନ ପ୍ରତିନିଧିମାନେ ଏକା ବେଳେ ଜାତୀୟ ସଂଗୀତ ଗାଇବେ।
Comments ସମସ୍ତ ମତାମତ