ମୁଖ୍ୟ ଖବର
ଗଞ୍ଜାମ/ରମ୍ଭା : ପତିଆରା ଜାହିର ପାଇଁ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶାସକ ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳ ଆଜି ସନ୍ଧ୍ୟାରେ ସଂଘର୍ଷର ରୂପ ନେଇଛି। ଦୀର୍ଘ ଦିନର ଚାପା ଉତ୍ତେଜନା ଆଜି ବିସ୍ଫୋରକ ରୂପ ନେଇଛି। ଦୁଇ ଗୋଷ୍ଠୀ ସଂଘର୍ଷରେ ସହରର ପନ୍ଦରା ସାହି ରଣକ୍ଷେତ୍ର ପାଲଟିଛି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଉଭୟ ଗୋଷ୍ଠୀର ଶହେରୁ ଊର୍ଦ୍ଧ୍ୱ ସମର୍ଥକ ହାତରେ ଖଣ୍ଡା ଓ କାତି ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଖଣ୍ଡା ବୁଲିବା ଦେଖି ସାହିବାସିନ୍ଦା ଆତଙ୍କିତ ହୋଇ ଘରେ କବାଟ କିଳି ଦେଇଥିଲେ। ଭୟର ବାତାବରଣ ଯୋଗୁଁ ସହରର ସବୁ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ଉନ୍ମତ୍ତ କର୍ମୀମାନେ ରମ୍ଭା ଏନ୍ଏସିର ବିଧାୟକ ପ୍ରତିନିଧି ସୀମାଞ୍ଚଳ ବାଡ଼ତ୍ୟାଙ୍କ ବାସଗୃହ ଭିତରକୁ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଗ୍ରୀଲ ଭାଙ୍ଗି ଦେଇଥିଲେ। ଏପରିକି, ସାହିରେ ଥିବା ଏକ ସେଲୁନ୍ରେ ବସିଥିବା ଜଣେ ନିରୀହ ବ୍ୟକ୍ତିଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନି। ପରିସ୍ଥିତି ଅଣାୟତ୍ତ ହେବାରୁ ଶହଶହ ସାହି ବାସିନ୍ଦା ଏକାଠି ହୋଇ ରମ୍ଭା ଥାନା ଘେରାଉ କରି ସୁରକ୍ଷା ଦାବି କରିଥିଲେ। ଏସ୍ଡିପିଓ ଚନ୍ଦନ ଘଡ଼େଇ ଓ ଅତିରିକ୍ତ ଆଇଆଇସି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଜବତ କରି ଯାଞ୍ଚ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ୫ ଖଣ୍ଡା ଓ କାତି ଜବତ କରିଛି। ଏ ସଂକ୍ରାନ୍ତରେ ବିଧାୟକ ପ୍ରତିନିଧି ସୀମାଞ୍ଚଳ ବାଡ଼ତ୍ୟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଗୋଟିଏ ଗୋଷ୍ଠୀର ନେତୃତ୍ୱ ବିଧାୟକ ପ୍ରତିନିଧି ନେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ୱ ଏନଏସି ଅଧ୍ୟକ୍ଷାଙ୍କ ଗୋଷ୍ଠୀ ନେଉଥିବା କୁହାଯାଉଛି। ମାସକ ତଳେ ଉଭୟ ଗୋଷ୍ଠୀ ମଧ୍ୟରେ ରହିଥିବା ତିକ୍ତତା ସହମତି ଭିତ୍ତିରେ ସମାଧାନ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ନିୟନ୍ତ୍ରଣରେ ରଖିବା ପାଇଁ ପନ୍ଦରା ସାହିରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
Comments ସମସ୍ତ ମତାମତ