ମୁଖ୍ୟ ଖବର
କଟକ : ଦୀର୍ଘ ଦିନ ବିରୋଧୀ ଦଳ ଆସନରେ ରହିଲେ । ବହୁ ଲଢ଼େଇ, ଆନ୍ଦୋଳନ ପରେ ଲୋକେ ଆମ ଉପରେ ଆସ୍ଥା ରଖି ଶାସନ ଭାର ଦେଲେ । ଏବେ ଆମ କାମକୁ ଜନସାଧାରଣ ସିସିଟିଭି ଭଳି ପ୍ରତି ମୂହୁର୍ତ୍ତରେ ଦେଖୁଛନ୍ତି । ତେଣୁ ଏବେ କାମ କରି ଦେଖାଇବାର ବେଳ । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଲୋକଙ୍କ ସେବା କରିବା । ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା । ଏହାର ସୁଫଳ ନିଶ୍ଚିତ ମିଳିବ । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଲୋକ ଆମକୁ ନିଶ୍ଚିତ ଜିତାଇବେ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଯୋଗ ଦେଇ ଦଳର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ ଏଭଳି ମତ ବ୍ୟକ୍ତ କରିଛନ୍ତି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି ଶ୍ରୀ ସନ୍ତୋଷ କହିଥିଲେ, ସାଧାରଣ ଲୋକେ ଆମ ଉପରେ ବିଶ୍ୱାସ ରଖି ଭୋଟ୍ ଦେଇଛନ୍ତି । ରାଜ୍ୟର ସବୁ ଲୋକ ଏବେ ଆମର । ସେ ଯେଉଁ ଦଳର ହେଲେ ବି ଆମେ ତାଙ୍କୁ ବିରୋଧ କରିବାନି । ମାତ୍ର ଯିଏ ଦେଶର ବିରୋଧ କରିବ ତାକୁ ବିରୋଧ କରିବା ଆମର ପ୍ରଥମ କର୍ତ୍ତବ୍ୟ । କିନ୍ତୁ ସରକାରରେ ଆସିବା ପରେ ଆମକୁ ଏବେ ଆଉ କ୍ଷମତା ଉପଭୋଗ କଥା ମୁଣ୍ଡରୁ ଦୂରେଇ ଦେବା ଦରକାର । ଯେଉଁମାନେ ସରକାରରେ ଅଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅନୁସରଣ କରି ନିରନ୍ତର କାମ କରି ଚାଲନ୍ତୁ । ନିଶ୍ଚିତ ଭାବେ ନିଜର ଓ ଦଳର ଲୋକପ୍ରିୟତା ବଢ଼ିବଢ଼ି ଚାଲିବ । ଏତେ ବଡ଼ ପଦରେ ରହି ମଧ୍ୟ ମୋଦିଜୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଜଣେ ହେଲେ ବି ସମ୍ପର୍କୀୟଙ୍କୁ କ୍ଷମତାର ସ୍ୱାଦ ଚଖାଇ ଦେଇନାହାନ୍ତି । ତାଙ୍କର ସମସ୍ତ ପରିଜନ ସାଧାରଣ ଲୋକଙ୍କ ଭଳି ଚଳୁଛନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସାଧାରଣ ଲୋକ ଭଳି ଚଳୁଥିବାରୁ ତାଙ୍କୁ ରାଜ୍ୟବାସୀ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ବୋଲି କହୁଛନ୍ତି । ପୂର୍ବର ମୁଖ୍ୟମନ୍ତ୍ରୀଙ୍କ ସହିତ ତୁଳନା କରୁଛନ୍ତି । ମାତ୍ର ଆମର କିଛି ନେତା ସାମାନ୍ୟ କ୍ଷମତା ପାଇବା ମାତ୍ରେ ସେମାନଙ୍କର ଓ ସେମାନଙ୍କ ପରିବାର ଲୋକଙ୍କ ଅହଂକାର ବଢ଼ିଯାଉଛି । ଏଭଳି ଅହଂକାର ଭାବରୁ ନିଜକୁ ଦୂରେଇ ରଖିବାକୁ ହେବ । ତାହେଲେ ଲୋକଙ୍କ ପାଖରେ ଆମେ ଅଧିକରୁ ଅଧିକ ଆଦୃତ ହେବା । ୨୦୨୯ରେ ନିଶ୍ଚିତ ଆମେ ଦ୍ୱିତୀୟ ପାଳି ସରକାର ଗଢ଼ିବା ବୋଲି ଶ୍ରୀ ସନ୍ତୋଷ କହିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ବିଜେଡିର ବି-ଟିମ୍ ଭୂମିକାରେ ଅବତୀର୍ଣ୍ଣ ହୋଇ ଓଡ଼ିଶାରେ କଂଗ୍ରେସ ଦଳ ବିଜେଡି ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଉଛି । ରାଜ୍ୟରେ ଏମ୍ଏମ୍ଡିଆର୍ ବିଲ୍ ସଂଶୋଧନକୁ ଉଭୟ କଂଗ୍ରେସ ଏବଂ ବିଜେଡି ବିରୋଧ କରି ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତବର୍ଷ ବ୍ୟାପକ ବନ୍ୟାରେ ରାଜ୍ୟର ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଜେଡି ନେତୃତ୍ୱଙ୍କ ମନ୍ତବ୍ୟ ବନ୍ୟା କ୍ଷତିଗ୍ରସ୍ତମାନଙ୍କ ମନରେ ଦୁଃଖ ଦେଇଛି । ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଉଭୟ କଂଗ୍ରେସ ଓ ବିଜେଡି ଦଳଗୁଡିକର ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କାର୍ଯ୍ୟକାରିଣୀରେ ଦୃଢ଼ ଭାବେ ନିନ୍ଦା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରାଯାଇଥିଲା ।
କାର୍ଯ୍ୟକାରିଣୀ ଆରମ୍ଭ ପୂର୍ବରୁ ସାଂଗଠନିକ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି. ଏଲ୍. ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହତୋମାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକମାନେ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ