ମୁଖ୍ୟ ଖବର
ଭୁବନେଶ୍ବର: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ବିଜେପିର ଦୁଇଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ ସୂଚନା ମିଳିଛି। ତେବେ ବୈଠକର ସ୍ଥାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ପକ୍ଷରୁ ଘୋଷଣା କରାଯିବା ବାକି ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏହି କାର୍ୟ୍ୟକାରିଣୀ ବୈଠକରେ ବିସ୍ତୃତ ଆଲୋଚନା ହେବ। ନିର୍ବାଚନ ପାଇଁ ଦଳ ପକ୍ଷରୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ ସାଙ୍ଗଠନିକ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
ବିଶେଷକରି ପଞ୍ଚାୟତ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।
ରାଜ୍ୟ ଭାଜପାର ପଦାଧିକାରୀ, କାର୍ୟ୍ୟକାରିଣୀ ସଦସ୍ୟ ଓ ବରିଷ୍ଠ ନେତାମାନେ ବୈଠକରେ ଯୋଗଦେଇ ଦଳର ଆଗାମୀ କାର୍ୟ୍ୟପନ୍ଥା ନେଇ ଆଲୋଚନା କରିବେ। ଏହି ବୈଠକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ଭାଜପାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।
Comments ସମସ୍ତ ମତାମତ