Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜେନ ଜିଙ୍କୁ ସାଙ୍ଗରେ ଧରି ଆଗେଇବ ବିଜେପି

    Share on :
    ajab-Image
    Date: Aug 25, 2026    Views: 2302

    ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଜେନ୍-ଜିଙ୍କୁ ନେଇ ଚର୍ଚ୍ଚା ଜୋର । ସବୁ ରାଜନୈତିକ ଦଳ ଜେନ-ଜିଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି କସରତ । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଗୋଟିଏ ପାଦ ଆଗକୁ ଯାଇ ବିଜେପି ସପକ୍ଷରେ ଜେନ-ଜି କିଭଳି ରହିବେ ତାକୁ ନେଇ କରିଛନ୍ତି ରଣନୀତି l ‘ଜେନ୍ ଜି’ର ନିକଟତର ହେବାକୁ ବିଜେପିର ନୂଆ ଫର୍ମୁଲା । ବିକଶିତ ଭାରତର ସ୍ବପ୍ନ ପ୍ରସଙ୍ଗରେ ସ୍କୁଲରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜନ କରିବ ବିଜେପି ।
    ପ୍ରତି ଜିଲ୍ଲାରେ ଆୟୋଜନ ହେବ 'ସେବା ଜ୍ୟୋତି ଅଭିଯାନ' କାର୍ଯ୍ୟକ୍ରମ, ଜଟିଳ ସମସ୍ୟା ଥିବା ସ୍ଥାନରେ ସଲ୍ୟୁସନ ସେଣ୍ଟ୍ରିକ୍ ହାକାଥାନ ଆୟୋଜନ କରିବାକୁ ଖସଡ଼ା ପ୍ରସ୍ତୁତ କରିଛି ଦଳ l ଦିଲ୍ଲୀରେ ବୈଠକରେ ଜେନ-ଜିଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଥିବାବେଳେ ରାଜ୍ୟରେ ପ୍ଲାନକୁ ଗ୍ରାଉଣ୍ଡକୁ ଆଣିବେ ବିଜେପି ଯୁବମୋର୍ଚ୍ଚା l
    ଜେନ-ଜିଙ୍କ ପାଇଁ ବିଜେପିର ମେଗା ପ୍ଲାନ l ଦେଶର ଯୁବପିଢ଼ି ଜେନ୍ ଜିଙ୍କ ସହିତ ନିଜର ସମ୍ପର୍କ ଦୃଢ଼ କରିବାକୁ ବିଜେପି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି l ଗତ ଶନିବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ 65 ସଦସ୍ୟ ବିଶିଷ୍ଟ ନୂଆ ରାଷ୍ଟ୍ରୀୟ ଟିମ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜେନ-ଜିଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ଗଠନ କରିଛି l ଏହି ଟିମ୍ ‘ଯୁବ ସମ୍ବାଦ’ ଅଭିଯାନ ଜରିଆରେ 14ରୁ 25 ବର୍ଷୀୟ ଯୁବବର୍ଗଙ୍କ ସହ ଯୋଡ଼ିହେବ l ରାଜ୍ୟରେ ଏହାର ମଙ୍ଗ ଧରିବ ବିଜେପି ଯୁବ ମୋର୍ଚ୍ଚା l


    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବବର୍ଗଙ୍କ ଉଦେଶ୍ୟରେ ବାର୍ତ୍ତାକୁ ସ୍କୁଲରୁ ନେଇ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଯିବ l ବିକଶିତ ଭାରତର ସ୍ବପ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯିବ l ଜେନ-ଜିଙ୍କ ମଧ୍ୟରେ ଇଣ୍ଡିଆ 2047 କନସେପ୍ଟ କଣ ଅଛି, ତାହାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯିବ l ପ୍ରତି ଜିଲ୍ଲାରେ ଆୟୋଜନ ହେବ ସେବା ଜ୍ୟୋତି ଅଭିଯାନ କାର୍ଯ୍ୟକ୍ରମ l ଯୁବ ବର୍ଗଙ୍କ ମଧ୍ୟରେ ସେବା ଭାବ ଜାଗ୍ରତ କରିବା ହେବ ମୁଖ୍ୟ ଉଦେଶ୍ୟ l ଜିଲ୍ଲାର ସମସ୍ତ ଯୁବ ବର୍ଗଙ୍କୁ ଗୋଟିଏ ସ୍ଥାନରେ ସମସ୍ତେ ଏକତ୍ରିତ କରାଇ ସେବା କାର୍ଯ୍ୟରେ ନିୟୋଜିତ କରିବା ରହିଛି ଲକ୍ଷ୍ୟ l ସେହି ଛକକୁ ସେବା ଜ୍ୟୋତି ଛକ ନାମରେ ତାହାକୁ ନାମିତ କରାଯିବ l ରାଜ୍ୟରେ ଜଟିଳ ସମସ୍ୟା ଥିବା ସ୍ଥାନରେ ସଲ୍ୟୁସନ ସେଣ୍ଟ୍ରିକ୍ ହାକାଥାନ ଆୟୋଜନ କରାଯିବ l ଯେଉଁ ଜାଗାରେ କିଛି ଜଟିଳ ସମସ୍ୟା ଥିବ, ସେହି ସ୍ଥାନରେ ଆଇଆଇଟି, ଏନଆଇଟି ଆଇଆଇଏମର ଛାତ୍ରଛାତ୍ରୀଙ୍କୁ ଡକାଯାଇ ପରମାନେଣ୍ଟ୍ ସଲ୍ୟୁସନ କଢ଼ାଯିବ ବୋଲି ସୂଚନା ଦେଇଛି ଦଳ l

    ବିଜେପି ଯୁବବର୍ଗଙ୍କ ସହିତ ଆଲୋଚନା ଜରିଆରେ ସେମାନଙ୍କ ବିଚାରଧାରା, ବିଭିନ୍ନ ସମସ୍ୟା ଏବଂ ଆକାଂକ୍ଷାକୁ ବୁଝିବାକୁ ଉଦ୍ୟମ କରିବ l ଯୁବ ଭୋଟରଙ୍କୁ ଓ ପ୍ରଥମ ଥର ଭୋଟ ଦେବାକୁ ଥିବା ନାଗରିକଙ୍କ ସହିତ କଥାବାର୍ତ୍ତା, ଚର୍ଚା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବ l ବିଭିନ୍ନ ଅଭିଯାନ ମାଧ୍ୟମରେ ନିଯୁକ୍ତି, ବୈଷୟିକ ଜ୍ଞାନ, ଷ୍ଟାର୍ଟଅପ୍ ଓ ଶିକ୍ଷା ପରି ପ୍ରସଙ୍ଗରେ ଯୁବପିଢ଼ିଙ୍କ ବିଚାରକୁ ନିଜ ଏଜେଣ୍ଡାରେ ସାମିଲ କରିବ l ଆଗାମୀ ପଂଚାୟତ ପୌର ନିର୍ବାଚନ ପୂର୍ବରୁ ନୂଆ ଓ ଯୁବ ଭୋଟରଙ୍କ ମଧ୍ୟରେ ନିଜ ଦଳର ସ୍ଥିତିକୁ ମଜଭୁତ କରିବା ହେବ ମୁଖ୍ୟ ଉଦେଶ୍ୟ ବୋଲି ସୂଚନା ଦେଇଛି ଦଳ l


    ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, "ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ସୁଦ୍ଧା ଭାରତରେ ଜେନ୍ ଜି ଭୋଟରଙ୍କ ସଂଖ୍ୟା ପ୍ରାୟ ୩୮ କୋଟି ଛୁଇଁବ, ଯାହା ସେମାନଙ୍କୁ ଦେଶର ସବୁଠାରୁ ବଡ଼ ଭୋଟ୍ ବ୍ୟାଙ୍କରେ ପରିଣତ କରିବ l ସେହିପରି ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ଅଂଶ ଯୁବବର୍ଗ l ରାଜ୍ୟରେ ପ୍ରାୟ ଦେଢ଼ କୋଟି ଜେନ-ଜିଙ୍କୁ ନେଇ ଏବେଠୁ ଯୋଜନା ପ୍ରସ୍ତୁତ କରୁଛି ଦଳ l"

    Maximum 500 characters

    ରାଜନୀତି View all

    Find Us on Facebook