ମୁଖ୍ୟ ଖବର
ଯାଜପୁର: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁରରେ ଶକ୍ତିଶାଳୀ ହେଉଛି ଭାରତୀୟ ଜନତା ପାର୍ଟି । କୋରେଇ ବିଜେପି ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ଅନ୍ୟ ଦଳ ଛାଡ଼ି ହଜାର ହଜାର କର୍ମୀ ବିଜେପି ଶିବିରରେ ସାମିଲ ହୋଇଛନ୍ତି ।ଗତ କିଛିଦିନ ତଳେ ଅନ୍ୟ ଦଳର ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିଲ । ଆଜି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜହ୍ନା ଓ ଲକ୍ଷ୍ମୀ ନଗର ପଞ୍ଚାୟତର ୧ ହଜାରରୁ ଅଧିକ ମହିଳା ଓ ପୁରୁଷ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କୋରାଇ ବିଧାୟକ ଆକାଶ ଦାସନାୟକଙ୍କ ସୁଶାସନ ଓ ବିକାଶ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିବା କହିଛନ୍ତି ମିଶିଥିବା ନୂତନ କର୍ମୀ । ସମସ୍ତ ନୂତନ କର୍ମୀଙ୍କୁ ବିଧାୟକ ଆକାଶ ଦାସନାୟକ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଭାରତୀୟ ଜନତା ପାର୍ଟିକୁ ସ୍ୱାଗତ କରିଛନ୍ତି ।ବିଜେଡି ଦଳ ଛାଡି ବିଜେପିରେ ମିଶିଥିବା ନେତା ସଞ୍ଜୟ ପ୍ରଧାନ କହିଛନ୍ତି, "ବିଧାୟକ ଆକାଶ ଦାସନାୟକ ହେଉଛନ୍ତି ଆମ ଲକ୍ଷ୍ମୀ ନଗର ପଞ୍ଚାୟତର ଲୋକ । ସେ ଆମ ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାମ କରିଛନ୍ତି । କିଛି ବାକି ରହିଯାଇଥିବା କମକୁ ଏବେ ସମ୍ପୂର୍ଣ୍ଣ କରିବାକୁ ଯାଉଛନ୍ତି । ବହୁତ କାର୍ଯ୍ୟଧାରା ସେ ଆଗକୁ ନେଉଛନ୍ତି । ସେ ବହୁତ ଉନ୍ନତ ଚିନ୍ତାଧାରା ରଖିଛନ୍ତି । ତେଣୁ ଆମେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆମ ପଞ୍ଚାୟତର ବିକାଶ ପାଇଁ ଆଜି ବିଜେପି ଦଳରେ ସାମିଲ ହୋଇଛୁ ।"ବିଧାୟକ ଆକାଶ ଦାସନାୟକ କହିଛନ୍ତି, "କୋରେଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ମହାମିଶ୍ରଣରେ ଜହ୍ନା ଓ ଲକ୍ଷ୍ମୀ ନଗର ପଞ୍ଚାୟତର ହଜାର ହଜାର ନେତୃମଣ୍ଡଳୀ ଯଥା ବିଜୁ ଜନତା ଦଳର କର୍ମୀମାନେ ବିଜେପିରେ ମିଶିଛନ୍ତି । ଏହା ଆମ ଦଳକୁ ଆହୁରି ଶକ୍ତିଶାଳୀ କରିବ । ଏକ ବିକଶିତ କୋରେଇ ଗଠନ କରିବାରେ ଆମେ ସକ୍ଷମ ହେବୁ । କର୍ମୀମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେଇଛନ୍ତି ଏବଂ କୋରେଇ ନିର୍ବାଚନ ମଣ୍ଡଳୀରେ ଯେଭଳି ବିକାଶ କାର୍ଯ୍ୟ ଚାଲିଛି ସେଥିରେ ଆକୃଷ୍ଠ ହେଇ ବିଜେପିରେ ସାମିଲ ହୋଇଛନ୍ତି । ଜନସାଧାରଣ ଆମ ସହିତ ଯୋଡିହେବା ପାଇଁ ଚାଁହୁଛନ୍ତି । ଏହା ଆରମ୍ଭ ମାତ୍ର, ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଏଭଳି ମିଶ୍ରଣ ହେବ । ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଆମେ ବିପୁଳ ଭାବରେ ବିଜୟୀ ହେବୁ ।"
Comments ସମସ୍ତ ମତାମତ