ମୁଖ୍ୟ ଖବର
ଭୁବନେଶ୍ବର: ଦୁଇ ବର୍ଷର ସଫଳତାକୁ ନେଇ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ପାଖକୁ ଯିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି କ୍ୟାମ୍ପ ଉତ୍ସାହିତ। ଆସନ୍ତା ୨୦ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଇରଙ୍ଗପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଉଦବୋଧନ ଦେବେ ମୋଦି। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସେପଟେ ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୁରଣ ହୋଇଛି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି‘‘ଏହି ଦୁଇ ବର୍ଷ ଭିତରେ ଯାହା କହିଥିଲୁ ତାକୁ ପୁରା କରିଛୁ। ଆଗାମୀ ତିନି ବର୍ଷ ଆମ ପାଇଁ ଚ୍ୟାଲେଞ୍ଜ। ଯେଉଁ ଚ୍ୟାଲେଞ୍ଜ ରହିଛି ବିଜେପି ସରକାର ତାକୁ ମଧ୍ୟ ପୁରା କରିବେ। ଦୁଇ ବର୍ଷର ସଫଳତାକୁ ନେଇ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ପାଖକୁ ଯିବ ବିଜେପି’’।
2027ରେ ପଞ୍ଚାୟତ ନିର୍ବାଚନ । ରାଜ୍ୟରେ ଶାସକ ଦଳ ସହିତ ଦୁଇ ବିରୋଧୀ ଦଳ ଆସନ ସଂରକ୍ଷଣ କରିବା ପାଇଁ ସଜବାଜ ହେଲେଣି । ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ଚିଠି କରିସାରିଛି । ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟସଭା ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ଦୁଇ ଦଳ ମିଳିତ ପ୍ରାର୍ଥୀ ଦେଇଥିଲେ । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁଇ ଦଳ ଏକାଠି ହୋଇ ଶାସକ ଦଳକୁ ଚେକ୍ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ଏବେ ରାଜ୍ୟ ରାଜନୀତିରେ ଚିତ୍ର ବଦଳିଛି । ଅନ୍ତ କନ୍ଦଳ ଯୋଗୁଁ ବିଜେଡି ଭାଗ ଭାଗ ହୋଇଛି । ଅସନ୍ତୁଷ୍ଟ ଗୋଷ୍ଠୀ ମାନେ ବିଜୁ ଲିଗାସୀ ଦ୍ୱାହି ଦେଇ ବିଜେଡ଼ିରୁ ମୁହଁ ଫେରାଇଛନ୍ତି ।
Comments ସମସ୍ତ ମତାମତ