ମୁଖ୍ୟ ଖବର
ଭୁବନେଶ୍ବର: ଆସନ୍ତା ଜୁନ ୧୨ ତାରିଖରେ ଓଡିଶାରେ ବିଜେପି ସରକାରକୁ ପୁରୁଛି ଦୁଇବର୍ଷ । ଏହି ଦୁଇ ବର୍ଷର ଅନେକ ଉପଲବ୍ଧିକୁ ନେଇ ବିଜେପି ପାଳନ କରିବ ବିଜୟ ଉତ୍ସବ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଣସି ଦିନ ଆସି ଏଥିରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରେ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି । ଏଣେ ଓଡିଶାରେ ବିଜେପି ୩୦ ବର୍ଷ ଶାସନ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଦଳର ରାଷ୍ଟ୍ରୀୟ ସମ୍ପାଦକ । ତେବେ ବିଜେଡି କହିଛି ବିଜେପିର ଏହି ଗର୍ବ ବେଶୀ ଦିନ ରହିବ ନାହିଁ।
୫ ବର୍ଷ ନୁହେଁ ପୁରା ୩୦ ବର୍ଷ । ଦୀର୍ଘ ସମୟ ଧରି ଓଡ଼ିଶାରେ ଶାସନ ପାଇଁ ବିଜେପିର ଯୋଜନା । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ଗତକାଲି ଭୁବନେଶ୍ବରରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂଙ୍କ ଏଭଳି ଦୃଢୋକ୍ତି ପରେ ବଢ଼ିଛି ଚର୍ଚ୍ଚା । ଦଳୀୟ କାର୍ଯ୍ୟାଳୟରେ ଅରୁଣ କହିଥିଲେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ବହୁ ବିକାଶ ମୂଳକ କାମ କରୁଛନ୍ତି । ଯାହା ବିଜେଡିର ୨୪ ବର୍ଷ ଶାସନରେ ହୋଇ ନଥିଲା ତାହା ଗତ ଦୁଇ ବର୍ଷ ଭିତରେ ବିଜେପି ଆସିବା ପରେ ସମ୍ଭବ ହୋଇଛି।
ଓଡିଶାରେ ସୁଭଦ୍ରା ଯୋଜନାରେ ମହିଳା ଉପକୃତ ହେଉଛନ୍ତି । ଧାନ କିଣାରେ ଚାଷୀ ଉପକୃତ ହେଉଛନ୍ତି। ବିକାଶ ଆଗେଇ ଚାଲିଛି। ଅନ୍ୟ ଦଳରେ ସମସ୍ୟା ରହିଛି କିନ୍ତୁ ବିଜେପି ଏକ ବିଚାରଧାରାର ଦଳ । ତେଣୁ ଓଡିଶାରେ ବିଜେପି ଯେଉଁଭଳି ଭାବେ କାମ କରୁଛି ଆଗାମୀ ୩୦ ବର୍ଷ ଯାଏ ଶାସନ କରିବ ବୋଲି କହିଛନ୍ତି ଅରୁଣ । ଏଣେ ବିଜେଡି କହିଛି, ବିଜେପି ଗତ ଦୁଇବର୍ଷ ଭିତରେ ରାଜ୍ୟରେ ସେଭଳି କୌଣସି ଆଖିଦୃଶିଆ କାମ କରିନି। କେବଳ ଅନେକ କଥା କହି ଲୋକଙ୍କୁ ଭ୍ରମିତ କରିଛି ।
Comments ସମସ୍ତ ମତାମତ