Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି : ନୀତିନ ନବୀନ

    Share on :
    ajab-Image
    Date: May 19, 2026    Views: 2623

    ଭୁବନେଶ୍ୱର: ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ଅନ୍ୟ ପକ୍ଷରେ ସରକାର ଚଲାଇବା ପାଇଁ ସମର୍ପଣ ଆବଶ୍ୟକ। ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ  ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ରାଷ୍ଟ୍ର ସର୍ବୋପରି” ମନୋଭାବ ରଖି ପ୍ରଧାନମନ୍ତ୍ରୀ ମୋଦିଜୀ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି।୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି। ଅତୀତରେ ବିରୋଧୀ ଦଳ ଭୂମିକାରେ ରହି ତତ୍କାଳୀନ ସରକାରଙ୍କୁ ଗଠନାତ୍ମକ ଓ ସକରାତ୍ମକ ସହଯୋଗ କରୁଥିଲା। କିନ୍ତୁ ବର୍ତମାନ ବିରୋଧୀ ଦଳ ଗୁଡିକର ଆଚରଣ ଓ ଉଚ୍ଚାରଣ ବ୍ୟାପକ ପରିବର୍ତନ ଘଟିଛି। ନକରାତ୍ମକ ମନୋଭାବ ସ୍ପଷ୍ଟ ପରିପ୍ରକାଶ ପାଉଛି। ଭାରତୀୟ ଯୁବକ ନବସୃଜନ, ସୃଜନଶୀଳ, ରଚନାତ୍ମକ ଚିନ୍ତାଧାରା ପାଇଁ ପରିଚିତ। ଅନ୍ୟପଟେ ନକରାତ୍ମକ ମନୋଭାବ ରଖିଥିବା ବିରୋଧୀ ଦଳଗୁଡିକ ଏବେ ଜେନ୍‌ଜି ନାମରେ ଯୁବବର୍ଗକୁ ପଥଭ୍ରାନ୍ତ କରୁଛନ୍ତି। ଏହା ବିକାଶର ଧାରାକୁ ପ୍ରତିରୋଧ କରୁଛି ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ରେ ଯୋଗ ଦେଇ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ କହିଛନ୍ତି।
    ଶ୍ରୀ ନୀତିନ ନବୀନ କହିଛନ୍ତି ଯେ, ରାଷ୍ଟ୍ର ସମ୍ମୁଖରେ ଥିବା ଆହ୍ୱାନ ଓ ଏହାର ନିରାକରଣ ହେଉଛି ଆମ ସମସ୍ତଙ୍କ ମୂଳ କର୍ତବ୍ୟ। ବିଶେଷ ଭାବେ “ଆତଙ୍କବାଦ, ଅନୁପ୍ରବେଶକାରୀ, ସୀମା ବିବାଦ, ତସ୍କରୀ” ଭଳି ବାହ୍ୟଶତୃଙ୍କ ଆହ୍ୱାନକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ସଫଳତାର ସହ ମୁକାବିଲା କରୁଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲା ଭାବେ ପରିଗଣିତ ଅଂଚଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ବିକାଶର ମୁଖ୍ୟ ସ୍ରୋତର ସାମିଲ କରିବାକୁ ସଫଳ ପ୍ରୟାସ କରିଛନ୍ତି। ଏବେ ନକ୍ସଲବାଦ ସମାପ୍ତପ୍ରାୟ। ଆତଙ୍କବାଦ ଉପରେ ରୋକ ଲଗାଯାଇପାରିଛି। ସେନାବାହିନୀକୁ ମୁକ୍ତ ହସ୍ତ ଦିଆଯାଇ ତାଙ୍କ ମନୋବଳକୁ ସୁଦୃଢ କରାଯାଇଛି। ସେହିପରି ସାଂସ୍କୃତିକ ରାଷ୍ଟ୍ରବାଦ ସୁରକ୍ଷା ପ୍ରତି ବଡ ବିପଦକୁ ସାମ୍ନା କରିବା ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ଅନୁପ୍ରବେଶକାରୀ, ଧର୍ମଭିତିକ ମତାନ୍ତର, କ୍ଷେତ୍ରବାଦ୍‌, ସାଂସ୍କୃତିକ ଆକ୍ରମଣ କରାଯିବାର ବଡ ଚକ୍ରାନ୍ତକୁ ବିଫଳ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ସଂସ୍କୃତିକୁ ଆଧାର କରି ବିକାଶ ହେବା ଉଚିତ୍‌। ଦେଶର ଉଭୟ ଆନ୍ତରୀଣ ଓ ବାହ୍ୟ ସୁରକ୍ଷା ସହ କୌଣସି ସାଲିସ କରାଯିବନାହିଁ। ପ୍ରଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅଧ୍ୟୟନ ପ୍ରକ୍ରିୟା ଜାରି ରଖିବା। ଦଳ ଓ ସଂଗଠନକୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ନୀତିନ ନବୀନ କହିଛନ୍ତି।
    ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି କାର୍ଯ୍ୟକର୍ତା ଆଧାରିତ ଜାତୀୟତାବାଦୀ ଦଳ। “ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ”। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ। ଏହି ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ସାମିଲ ହେବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହି ପ୍ରଶିକ୍ଷଣ ଶିବିରରୁ ଅଧିକରୁ ଅଧିକ ଲାଭ ନେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି। 
    ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରୀୟ ପ୍ରଶିକ୍ଷଣ ଟୋଲିର ସହସଂଯୋଜିକା ତଥା ସାଂସଦ ଶ୍ରୀମତୀ କବିତା ପଟିଦାର, କ୍ଷେତ୍ରୀୟ ସଂଯୋଜକ ଅଧ୍ୟାପକ ଦିନେଶାନନ୍ଦ ଗୋସ୍ୱାମୀ ଏବଂ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook