ମୁଖ୍ୟ ଖବର
ଭୁବନେଶ୍ୱର,: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି । ସେଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଛନ୍ତି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗସ୍ତକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା କରିବେ। ପୁଣି ସାଢ଼େ ୩ ଭିତରେ ମନ୍ତ୍ରିମଣ୍ଡଳର ସଦସ୍ୟ ସହ ଆଲୋଚନା ହେବ। ସରକାରଙ୍କ ରୋଡ ମ୍ୟାପ୍ ବିଷୟରେ ଆଲୋଚନା ହେବ। ଯେଉଁ ଟ୍ୟାକ୍ସ ଦେଇଛନ୍ତି ସେ ତାର ହିସାବ ନେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ସରକାରୀ ସ୍ତରରେ କ'ଣ କ'ଣ କାର୍ଯ୍ୟକ୍ରମ ଚାଲିଛି ସେ ବାବଦରେ ଆଲୋଚନା କରିପାରନ୍ତି । ମନ୍ତ୍ରୀମାନେ ବିଗତ ଦିନରେ କ'ଣ କରିଛନ୍ତି ଏବଂ ଆଗାମୀ ଦିନରେ କ'ଣ କରିବେ ସେ ବିଷୟରେ ଜଣାଇବେ। ବିଜେପି ଏକ ସଂଗଠନ ଆଧାରିତ ଦଳ । କିଭଳି ସରକାର ଓ ସଙ୍ଗଠନ ଭିତରେ ସମନ୍ୱୟ ରହି କାମ ହେବ ସେ ବିଷୟରେ ଆଲୋଚନା କରିବେ ।
କୋର୍ କମିଟି ବୈଠକ ପରେ ସେ ଜଟଣୀ ଯାଇ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍ଘାଟନ କରିବେ । ମଧ୍ୟାହ୍ନରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ସେଠାରେ ମହାପ୍ରସାଦ ସେବନ କରିବେ । ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ମୋର୍ଚ୍ଚା ସଭାପତି, ମନ୍ତ୍ରୀ ଓ ସାଂସଦଙ୍କ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି । ବିଜେପି ଆସନ୍ତା ୧୦୦ ବର୍ଷ ପାଇଁ ତାର ପ୍ରସ୍ତୁତି କରୁଛି । ଏଥିପାଇଁ ସବୁ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।
Comments ସମସ୍ତ ମତାମତ