Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଘୁଞ୍ଚି ଘୁଞ୍ଚି ଚାଲିଛି ବୋର୍ଡ ଓ ନିଗମ ପଦ ଘୋଷଣା

    Share on :
    ajab-Image
    Date: Feb 5, 2026    Views: 2574

    ଭୁବନେଶ୍ୱର: ବୋର୍ଡ ଓ ନିଗମ ଲଡୁ ମିଳିବ । ଏଇ ମାସରେ ଘୋଷଣା ହେବ । ନୂଆବର୍ଷ ସୁଦ୍ଧା ସରିବ । ପୁଣି ଜାନୁଆରୀ ଶେଷ ବେଳକୁ ଚୂଡ଼ାନ୍ତ ହୋଇଯିବ । ବରିଷ୍ଠ ନେତାଏ ଏମିତି ତାରିଖ ପରେ ତାରିଖ, ଆଉ କଣ୍ଟ ପରେ କଣ୍ଟ ଦେଇ ଚାଲିଛନ୍ତି । ଏପଟେ ଆଶାୟୀଙ୍କ ଧୈର୍ୟ୍ୟଚ୍ୟୁତି ଘଟିଲାଣି । ଆଗକୁ ପଞ୍ଚାୟତ ନିର୍ବାଚନ । ସମ୍ଭବତଃ ବର୍ଷ ଶେଷ ସୁଦ୍ଧା ପଞ୍ଚାୟତ ଲଢ଼େଇ ହୋଇଯିବ । ତଥାପି ଏଯାଏଁ ବୋର୍ଡ ଓ ନିଗମ ପଦ ଘୋଷଣା ଘୁଞ୍ଚି ଘୁଞ୍ଚି ଚାଲିଛି ।ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକି ସରକାର ଗଢ଼ିଛି । ଅଢ଼େଇ ଦଶନ୍ଧି ଦିନ ଧରି ଜିତି ଆସୁଥିବା ବିଜେଡିକୁ ମାତ୍ ଦେଇ ଦଳ କ୍ଷମତାକୁ ଆସିବାରେ ସକ୍ଷମ ହୋଇଛି । ରାଜ୍ୟସ୍ତରରୁ ନେଇ ତୃଣୂମୂଳସ୍ତର ଯାଏ, ସାଂଗଠନିକ କାର୍ୟ୍ୟକ୍ରମକୁ ସକ୍ରିୟ କରି ଦଳ ଲୋକଙ୍କ ଆସ୍ଥା ଜିଣିଛି । ଅନେକ ନେତାଙ୍କ ସାଂଗଠନିତ ଦକ୍ଷତା ଯୋଗୁ ଏହା ସମ୍ଭବ ହୋଇଛି । ଏ ଲଢ଼େଇରେ ବହୁ ବିଜେପି ନେତା ବିଧାନସଭା ନିର୍ବାଚନ ହାରିଥିଲେ ବି ଦଳର ସଂଗଠନକୁ ମଜବୁତ କରିବାରେ ସେମାନଙ୍କ ବଡ଼ ଯୋଗଦାନ ଅଛି । ଆହୁରି ଅନେକ ନେତା ଅନେକ ନେତା ପଛରେ ରହି ଦଳକୁ ଟାଣୁଆ କରିଥିଲେ । ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ହେଉ ବା ନିୟମିତ ସାମ୍ବାଦିକ ସମ୍ମିଳନୀ କରି ତତ୍କାଳୀନ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିଲେ । ସେହିପରି ବହୁ ବିଜେଡି ଶିବିର ଛାଡ଼ି ବିଜେପିକୁ ଆସିଥିଲେ । କାହାକୁ ଟିକେଟ୍ ମିଳିଥିଲା ତ’ ଆଉ କାହାକୁ ଭବିଷ୍ୟତ ପାଇଁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।ବିଜେପି ସରକାର ଶପଥ ଗ୍ରହଣ ଦିନଠାରୁ ବୋର୍ଡ, ନିଗମ ପଦବୀରେ କାହାକୁ ଥଇଥାନ କରାଯିବ, ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଶାୟୀମାନେ ଚାତକ ଭଳି ଅନାଇ ରହିଛନ୍ତି । ଦଳର ରାଜ୍ୟ ପ୍ରଭାରୀ ଏହାକୁ ନେଇ ଏକାଧିର ଥର ବୟାନ ଦେଇ ସାରିଲେଣି । ରାଜ୍ୟ ସଭାପତି ଓ ଆଉ କିଛି ବରିଷ୍ଠ ନେତାମାନେ ବି ଏ ବାବଦରେ ଖୁବଶୀଘ୍ର ଘୋଷଣା ହେବ ବୋଲି ବାରମ୍ବାର କହୁଛନ୍ତି । ନୂଆପଡ଼ା ଉପନିର୍ବାଚନ ପରେ ଏହା ଘୋଷଣା ହେବ ବୋଲି ଏକପ୍ରକାର ନିଷ୍ପତ୍ତି ସରିଥିଲା । କିନ୍ତୁ ହେଲାନି। ନୂଆବର୍ଷରେ ନୂଆ ଦାୟିତ୍ୱ ଦିଆଯିବ ବୋଲି ମଧ୍ୟ ରାଜ୍ୟ ନେତୃତ୍ୱ କହିଲେ । ଏଯାଏଁ ହେଲାନି ।
    ତେବେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୋର୍ଡ ଓ ନିଗମ ପଦକୁ ନେଇ ପ୍ରାଥମିକ ତାଲିକା ସରିଥିଲା । ରାଜ୍ୟ ନେତୃତ୍ୱ ଏହି ତାଲିକା ନେଇ ଦିଲ୍ଲୀରେ ଦେଇଥିଲେ । କିନ୍ତୁ ନିର୍ଦ୍ଦିଷ୍ଟ କିଛି ନାଁକୁ ନେଇ ସହମତି ହୋଇପାରୁନି । ଏଥିସହ ଆଶାୟୀଙ୍କ ତାଲିକା ଏତେ ଅଧିକ ଯେ, କାହାକୁ ସାମିଲ କରାଯିବ ଓ କାହାକୁ ବାଦ୍ ଦିଆଯିବ, ସେ ନେଇ ନିଷ୍ପତ୍ତି ହୋଇପାରୁନି । ତଥାପି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ନିଷ୍ଟିତ ସରିଯିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook