Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ସମର ସଜ୍ଜା

    Share on :
    ajab-Image
    Date: Dec 11, 2025    Views: 3362

    ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରନ୍ତୁ। ଏକ ସମୃଦ୍ଧ ଓଡ଼ିଶା ଗଠନ ନେଇ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ବାସ୍ତବ ରୂପ ଦେବାରେ ସଂଗଠନର ବଡ଼ ଭୂମିକା ରହିବ। ସଂଗଠନକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରାଇବା ଦିଗରେ କାର୍ୟ୍ୟ କରନ୍ତୁ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ସମର ସଜ୍ଜା ସହିତ ସାଙ୍ଗଠନିକ ନେତୃବୃନ୍ଦଙ୍କୁ ଏହି ଆହ୍ବାନ ଦିଆଯାଇଛି। ବୁଧବାର ରାଜ୍ୟ ବିଜେପି କାର୍ୟ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍‌ ସନ୍ତୋଷ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ନବନିଯୁକ୍ତ ସାଂଗଠନିକ କର୍ମକର୍ତ୍ତା ଓ ଜିଲା ପ୍ରଭାରୀଙ୍କୁ ଏହା କହିଛନ୍ତି। ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା କରାଯାଇଛି।
    ଦଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କିପରି ପ୍ରତ୍ୟେକ ମଣ୍ଡଳ, ବ୍ଲକ ଓ ଜିଲାସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ନୂଆପଡ଼ା ଉପନିର୍ବାଚନରେ ଦଳକୁ ମିଳିଥିବା ବଡ଼ ସଫଳତାକୁ ଆୟୁଧ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ସମାନ ସଫଳତା ଦୋହରାଇବା ପାଇଁ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦିଆଯାଇଥିଲା। କାହାର କ’ଣ ଦାୟିତ୍ବ ରହିବ ତାହା ସେମାନଙ୍କୁ ବୁଝାଇ ଦିଆଯାଇଥିଲା। ଏ ସମ୍ପର୍କରେ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି। ନିର୍ବାଚନରେ ଦଳ ଭଲ ଭାବେ ଲଢ଼ିବ ଏବଂ ଏକପାଖିଆ ନିର୍ବାଚନ ଜିତିବ। ବିଜେପି ନିଷ୍ଠାର ସହିତ ଓଡ଼ିଶାବାସୀଙ୍କ ସେବା କରୁଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ଦଳର ୬ଟି ମୋର୍ଚ୍ଚା ଓ ସମସ୍ତ ସାଂଗଠନିକ ଜିଲା ପ୍ରଭାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା।

    Maximum 500 characters

    ରାଜନୀତି View all

    Find Us on Facebook