Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ୟ୍ୟ କରିବ ବିଜେପି ସରକାର : ମନମୋହନ ସାମଲ

    Share on :
    ajab-Image
    Date: Sep 12, 2025    Views: 2569

    ଯାଜପୁର/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱାଧୀନତାର ୭୮ ବର୍ଷ ପରେ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି। ସରକାର ପରିବର୍ତନ କରିବାରେ ସମସ୍ତଙ୍କ ଯୋଗଦାନ ରହିଛି। ଏଥିରେ ଯାଜପୁର ଜିଲ୍ଲାର ଭୂମିକା ସବୁଠାରୁ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଏବେ ଲୋକଙ୍କ ସରକାର ଚାଲିଛି। ପୂର୍ବରୁ କଂଗ୍ରେସ, ବିଜେଡି ସରକାର ଓଡ଼ିଶାର ଜନସାଧାରଣଙ୍କୁ ଲୁଟି ଚାଲିଥିଲେ। ଏପରିକି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ମଧ୍ୟ କରିପାରି ନ ଥିଲେ। ଏସବୁ ସମାସ୍ୟାର ସମାଧାନ କରି ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। 

    ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ସରକାର ଗଠନର ମାତ୍ର ୨୪ ଘଂଟା ମଧ୍ୟରେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲି ଦିଆଗଲା। ଜଗନ୍ନାଥଙ୍କ ରୀତିନୀତି ପାଇଁ ଅର୍ଥର ଅଭାବ ନ ହେବା ପାଇଁ ଅଗ୍ରୀମ ୫୦୦ କୋଟି ଟଙ୍କା ଦିଆଗଲା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇ ମରାମତି କାର୍ୟ୍ୟ ଶେଷ କରଗଲା। ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟ ଦୁଇଗୁଣିତ କରିବାରେ ସହାୟତା କରାଗଲା। ରାଜ୍ୟର ମା’ ଓ ଭଉଣୀମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଗଲା। ଲକ୍ଷପତି ଦିଦି ଯୋଜନାରେ ଓଡ଼ିଶାର ମା’ ଭଉଣୀମାନେ ଏବେ ୧ ନମ୍ବର ହେଲେଣି। ଏହାଦ୍ୱାରା କେବଳ ଆତ୍ମବିଶ୍ୱାସ ବଢ଼ିନି, ଆତ୍ମନିର୍ଭର ଓଡ଼ିଶା ଗଠନର ସ୍ୱପ୍ନ ମଧ୍ୟ ପୂରଣ ହେବାରେ ଲାଗିଛି। ବିଜେପି ଯାହା କହିଛି ତାହା ପୂରା କରିଛି। ସବୁ ଗ୍ରାମରେ ପକ୍କା ସଡ଼କ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୫ ହଜାର କିଲୋମିଟର ରାସ୍ତା ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୧୫ ଲକ୍ଷ୍ୟ ହେକ୍ଟର ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସଂକଳ୍ପପତ୍ରରେ ଦିଆଯାଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରି ବିଜେପି ସରକାର ଲୋକଙ୍କ ଆସ୍ଥାଭାଜନ ହୋଇପାରିିଛି। ଇତିମଧ୍ୟରେ ୨୧ ପ୍ରତିଶ୍ରୁତିରୁ ୧୧ଟି ପୂରଣ ହୋଇସାରିଛି। ବାକି ୭ଟି ପ୍ରତିଶ୍ରୁତି ମଧ୍ୟ ଖୁବ୍‌ଶୀଘ୍ର ପୂରଣ ହୋଇଯିବ। ପୂର୍ବ ସରକାର ସମୟରେ ଏସବୁ ସଂକଳ୍ପ ଓ ବିଶ୍ୱାସର ଅଭାବ ଥିଲା। 
    ଯାଜପୁର ଜିଲ୍ଲା ହେଉଛି ସମ୍ଭାବନାର ଜିଲ୍ଲା। ଏଠାରେ ଖଣିଖାଦନ ଭରପୁର ରହିଛି। ନଦୀଠାରୁ ଆରମ୍ଭ କରି କୃଷି ପର୍ୟ୍ୟନ୍ତ ସବୁ ସୁବିଧା ରହିଛି। ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ଅନେକ ଶିଳ୍ପସଂସ୍ଥା ରହିଛି। ଏଠାରେ କୃଷିଭିତିକ ଶିଳ୍ପଠାରୁ ଆରମ୍ଭ କରି ଓ ପର୍ୟଟନ ଶିଳ୍ପର ବିକାଶ ହୋଇପାରିବ। ଏହି ଜିଲ୍ଲାକୁ ୧ ନଂମ୍ବର କରି ଗଢ଼ି ତୋଳିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ୨୦୪୭ରେ ବିକଶିତ ଭାରତ ଗଠନରେ ଓଡ଼ିଶାର ଯେପରି ସବୁଠାରୁ ଅଧିକ ଯୋଗଦାନ ଦେଇପାରିବ ସେଥିପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ଦେଶରେ ୧ନଂ. ରାଜ୍ୟ ହୋଇପାରିବ। ତାଙ୍କର ଯେଉଁ ଭରସା ଓ ବିଶ୍ୱାସ ରହିଛି ତାହାକୁ ରାଜ୍ୟ ସରକାର ନିଶ୍ଚିନ୍ତ ପୂରଣ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି। 
    ଏହି ଅବସରରେ ମନ୍ତ୍ରୀ ପଦୀପ ବଳସାମନ୍ତ, ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ଼ଙ୍କ ସମେତ ବହୁ କାର୍ୟ୍ୟକର୍ତା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସରୋଜ କର, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ମୁଖପାତ୍ର ମନୋଜ ମହାପାତ୍ର, ବବିତା ମଲ୍ଲିକ, ଉମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। 
    ବିଂଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଶରଥପୁର ବ୍ଳକ ପୂୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ସମେତ ବିଜେଡି ଓ କଂଗ୍ରେସର ବହୁ ସରପଂଚ, ସମିତି ସଭ୍ୟ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ। 
    ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ସାମଲ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହାପରେ ସଠିପୁର, ଯାଜପୁର ଟାଉନ, ବିଂଝାରପୁର, ବରହଟା ଛକ, ଦଶରଥପୁର, ନନ୍ଦିପୁରରେ ଅନୁଷ୍ଠିତ ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ। ଗତକାଲି ଯାଜପୁର ଜିଲା ଗସ୍ତରେ ଆସି ଧର୍ମଶାଳା ସମେତ ବରୀ, ପାଣିକୋଇଲିରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଯାଜପୁର ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook