ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟ ବିଜେପିର ହେବ ନବକଳେବର । ରାଜ୍ୟ ବିଜେପି ସଭାପତି ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଏ ହେବ ରାଜ୍ୟ ବିଜେପି ସଭାପତି ସେ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, ଯିଏ ସଭାପତି ସିଏ ନାମାଙ୍କନ ଭରିବେ । ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସରିଥିବ । ଆଉ ଏକ ଘଣ୍ଟା ଅପେକ୍ଷା କରନ୍ତୁ । ସବୁ କିଛି ଜଣାପଡ଼ିଯିବ । ଦୁଇ ଜଣ କେବେ ନାମାଙ୍କନ ଭରିବେ ନାହିଁ ବୋଲି ପ୍ରଦୀପ କହିଛନ୍ତି । ସହମତି ଭିତ୍ତିରେ ବିଜେପି ରାଜ୍ୟ ସଭାପତି ନିର୍ବାଚନ ହେବ । କେନ୍ଦ୍ରୀୟ ନେତୃତ୍ବ ଏହାକୁ ନେଇ ଯେଉଁ ନିଷ୍ପତ୍ତି ନେବେ, ତାକୁ ସମସ୍ତେ ମାନିବେ ବୋଲି ପ୍ରଦୀପ କହିଛନ୍ତି ।
ପ୍ରକାଶ ଯେ କିଏ ଧରିବେ ରାଜ୍ୟ ବିଜେପିର ନୂଆ ମଙ୍ଗ । ରିପିଟ ହେବେ ମନମୋହନ ନା ଆଉ କାହା ମୁଣ୍ଡରେ ଢଳାଯିବ ସୁନାକଳସ । ବିଜେପି ରାଜ୍ୟ ସଭାପତି ପଦକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ ଆଉ ଆସନ୍ତାକାଲି ଘୋଷଣା ହେବ ନୂଆ ସଭାପତିଙ୍କ ନାମ ।ଏନେଇ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘ଦଳର କ୍ୟାଡର ଭିତରୁ ଜଣେ ସଭାପତି ହେବେ ଆମ ଦଳରେ ସଭାପତି ବଡ ନୁହେଁ । ଟିମ୍ ନିଷ୍ପତ୍ତି ନେବେ । ସରକାର ଆଉ ଦଳର ପରିଚାଳନା ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ରାଜ୍ୟ ସଭାପତି ବଡ ଦାୟିତ୍ଵ ରହିଛି । ଆଗକୁ ବିଜେପିର ଏକ ସ୍ବତନ୍ତ୍ର ଟିମ ହେବ । ଏ ଟିମ ପଦକ୍ଷେପ ନେବ ସରକାର ଆଉ ସଂଗଠନର ସମନ୍ଵୟ କିଭଳି ରହିବ । ସଭାପତି ଚୟନ ନେଇ ନିର୍ବାଚନ ହେବ । ତେବେ ଏକରୁ ଅଧିକ ନାମାଙ୍କନ ନଭରିଲେ ଜଣଙ୍କ ନାଁରେ ମୋହର ବାଜିବ । ସମସ୍ତ ସହ ଆଲୋଚନା ହୋଇ ସହମତ ଭିତ୍ତିରେ ମଧ୍ୟ ସଭାପତି ଚୟନ ହୋଇ ପାରେ ।’ଏନେଇ ଜୟନାରାୟଣ ମିଶ୍ର କହିଛନ୍ତି, ‘ମୁଁ ରାଜ୍ୟ ସଭାପତି ନେଇ ଆଶାବାଦୀ ନାହିଁ । ସଭାପତି ପଦ ଦେଲେ ସଭାପତି ହେବି ନାହିଁ । ମତେ ଯାଚି କି ଦେଲେ ବି ହେବି ନାହିଁ ସଭାପତି ।’
ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୁବନେଶ୍ଵର ପହଞ୍ଚି ବଡ ସୂଚନା ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଯଦି ଜଣେ ପ୍ରାର୍ଥୀ ହୁଅନ୍ତି, ତେବେ ସର୍ବସମ୍ମତି ତାଙ୍କ ନାମ ଘୋଷଣା ହେବ । ଆଜି(ସୋମବାର) ନାମାଙ୍କନ ଭରିବେ ଆଶାୟୀ ପ୍ରାର୍ଥୀ । ତା ପର ଦିନ ଇଲେକ୍ସନ ଏବଂ ସେହିଦିନ ଫଳ ପ୍ରକାଶ ପାଇବ । ସେହିପରି ଆଜି ଓଡ଼ିଶା ବିଜେପି ସାଙ୍ଗଠନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ୟ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓଡ଼ିଶା ଆସିବେ । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ ।’
Comments ସମସ୍ତ ମତାମତ