ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି କିଏ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ବିଜେପି ହାଇକମାଣ୍ଡ ଶେଷ ନିଷ୍ପତ୍ତି ନେବେ। ସୋମବାର ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କ ବୈଠକ ପରେ ଏ ନେଇ ଖବର ସାମ୍ନାକୁ ଆସିଛି। ବୈଠକରେ ୨-୩ଟି ନାମକୁ ନେଇ ବି.ଏଲ. ସନ୍ତୋଷ ଆଲୋଚନା କରିଥିଲେ ହେଁ ସଭାପତି ଦୌଡ଼ରେ ମନମୋହନ ସାମଲ ଆଗରେ ଥିବା ଚର୍ଚ୍ଚା ହେଉଛି। ସୋମବାର ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ସାଧାରଣ ସମ୍ପାଦକ ଶାରଦା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସଭାପତି ଦୌଡ଼ରେ ୪-୫ ଜଣ ନେତାଙ୍କ ନାମ ଥିବାବେଳେ ଶୀର୍ଷ ନେତୃତ୍ୱ ସହମତି ଭିତ୍ତିରେ ସଭାପତି ଚୟନ ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ମନମୋହନଙ୍କ ନାମକୁ ନେଇ ସହମତି ପ୍ରକାଶ ପାଉ ନ ଥିବାରୁ ବାରମ୍ବାର ନାମ ଘୋଷଣା ତାରିଖ ବିଳମ୍ବିତ ହେଉଛି। ତେବେ ବିଏଲ୍ ସନ୍ତୋଷ ସଭାପତି ପଦ ପାଇଁ ଶୀର୍ଷ ନେତୃତ୍ୱଙ୍କ ବାର୍ତ୍ତାକୁ ନେଇ ସୋମବାର ବୈଠକରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ସଭାପତି ପଦ ସହ ସାଂଗଠନିକ ପୁନର୍ବିନ୍ୟାସ, ବିଭିନ୍ନ ନିଗମ ବୋର୍ଡ ନିଯୁକ୍ତି ନେଇ ଶୀର୍ଷ ନେତୃତ୍ୱଙ୍କ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ସେ ରାଜ୍ୟ ନେତାଙ୍କୁ ଅବଗତ କରାଇଛନ୍ତି। ବୈଠକ ସମ୍ପର୍କରେ ବିଜେପିର ଭିତିରି ମହଲରୁ ମିଳିଥିବା ସୂଚନା ଅନୁଯାୟୀ ସଭାପତି ପଦ ନିଷ୍ପତ୍ତି ସହମତି ଭିତ୍ତିରେ ହେଉ ବୋଲି ଶୀର୍ଷ ନେତୃତ୍ୱ ଚାହୁଁଥିବାରୁ ଏଥିରେ ବିଳମ୍ବ ଘଟୁଛି। ତେଣୁ ଚଳିତ ସପ୍ତାହରେ ହିଁ ବିଜେପି ସଭାପତି ନାମ ଘୋଷଣା କରିବ ।
Comments ସମସ୍ତ ମତାମତ