Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ମୋ ଘର’ ଯୋଜନା କେବଳ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ : ବିଜେପି

    Share on :
    ajab-Image
    Date: May 31, 2023    Views: 3730

    ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ତ୍ରୁଟିପୂର୍ଣ୍ଣ ବୋଲି କହିବା ସହ ବ୍ୟାଙ୍କ ଋଣ ନୁହେଁ ମାଗଣା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଘର ଦେବାକୁ ବିଜେପି ଦାବି କରିଛି । ମୋ ଘର ଯୋଜନାରେ ରାଜ୍ୟ ସରକାର ଦୁର୍ନୀତିର ମୂଳ ମଞ୍ଜି ପୋତିଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ବ୍ୟାଙ୍କ ଋଣ ଶୁଝି ନପାରିଲେ ବନ୍ଧା ପଡ଼ିଥିବା ବାପା-ଅଜା ଅମଳର ଘର ଡ଼ିହ ବି ହାତରୁ ଚାଲିଯିବ ବୋଲି ବିଜେପି ଆଶଙ୍କା ବ୍ୟକ୍ତ କରିଛି ।
     ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଅଯୋଗ୍ୟ ରାଜ୍ୟ ସରକାର ‘ମୋ ଘର’ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି । ରାଜ୍ୟର ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ପର୍ୟ୍ୟାପ୍ତ ପରିମାଣର ପକ୍କାଘର ଯୋଗାଇ ଦେଇଛନ୍ତି ।
    ବିଜୁ ପକ୍କା ଘର ଯୋଜନାରେ ଗତ ୫ ବର୍ଷ ଭିତରେ ମାତ୍ର ୪୮୦ଟି ଘର ନିର୍ମାଣ କରିଥିବା ବିଜେଡି ସରକାରର ଏହା ଏକ ପ୍ରହେଳିକା । ଗତ ୩ ବର୍ଷରେ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ବି ବରାଦ ହୋଇ ନାହିଁ । ନିଜର ଅପାରଗତା ପଦାରେ ପଡ଼ିଲା ପରେ ଓ କେନ୍ଦ୍ରୀୟ ଗ୍ରାମ ବିକାଶ ମନ୍ତ୍ରଣାଳୟର ତାଗିଦ ପରେ ହିଁ ଓଡ଼ିଶା ସରକାର ‘ମୋ ଘର’ ଯୋଜନାର ପ୍ରହେଳିକା ସୃଷ୍ଟି କରାଉଛନ୍ତି ।  ଓଡ଼ିଶା ସରକାର ଦ୍ୱାରା ଗରିବ ଗୁରୁବାଙ୍କ ପାଇଁ ନୂଆ ‘ମୋ ଘର’ ଯୋଜନା ଏକ ଭେଳିକି ସଦୃଶ । ‘ମୋ ଘର’ ନାମରେ ନୂଆ ଯୋଜନା କେବଳ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ । 
    ଓଡ଼ିଶା ସରକାର ବିନା କୌଣସି ନିର୍ମାଣ ସହାୟତାରେ ଗରିବଙ୍କୁ କେବଳ ଲୋନ୍ ନେଇ ଘର ତିଆରି କରିବାର ସ୍ୱପ୍ନ ବାଂଟୁଛନ୍ତି । ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ବାର୍ଷିକ ୩ ଲକ୍ଷ ଟଙ୍କା ଆୟ ଥିବା ବ୍ୟକ୍ତିକୁ ୧୫ ଲକ୍ଷ ଟଙ୍କାର ଋଣ ମିଳୁଥିବାବେଳେ ଏହି ଯୋଜନାରେ ମାତ୍ର ୩ ଲକ୍ଷ ଟଙ୍କା ଋଣ ମିଳିବ । ଜଣେ ସାଧାରଣ ବର୍ଗର ଗରିବ ବ୍ୟକ୍ତି ଯଦି ଘର ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା ଋଣ ନିଏ, ତାକୁ ରାଜ୍ୟ ସରକାରଙ୍କ ୬୦ହଜାର ଟଙ୍କା ମୂଳ ପରିମାଣର ରିହାତି ଓ ଏକ ବର୍ଷର ସୁଧ ରିହାତି ମିଳିବା ପରେ ବି ୯ବର୍ଷ ମଧ୍ୟରେ ମୋଟ୍ ୪.୮୦ଲକ୍ଷ ଟଙ୍କା ବ୍ୟାଙ୍କକୁ ଶୁଝିବାକୁ ପଡ଼ିବ ।

    ଯେଉଁଥିରେ କେବଳ ସୁଧ ହେଉଛି ୨.୪୦ଲକ୍ଷ ଟଙ୍କା । ସେହିପରି ଋଣ ବାବଦରେ ହିତାଧିକାରୀଙ୍କୁ ଋଣ ପରିଶୋଧ ଯାଏ ନିଜର ସ୍ଥିତିବାନ ଜମିକୁ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ପଡ଼ିବ । କେଉଁ ନ୍ୟାୟରେ ଓଡ଼ିଶା ସରକାର ଗରିବ ବାସହୀନଙ୍କ ପାଇଁ ଏମିତି ଚିନ୍ତା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଗରିବ ଲୋକ କୃଷି ଋଣ ସୁଝି ପାରୁନଥିବାବେଳେ ଗୃହ ଋଣ କେମିତି ଶୁଝିବ ଓ ବନ୍ଧା ପଡ଼ିଥିବା ଘର ଡ଼ିହ ବି ଶେଷରେ ହାତରୁ ଚାଲିଯିବ ବୋଲି ଶ୍ରୀ ହରିଚନ୍ଦନ ଆଶଙ୍କା ବ୍ୟକ୍ତ କରିବା ସହ ବ୍ୟାଙ୍କ ଋଣ ନୁହେଁ ବରଂ ଗରିବ ଲୋକଙ୍କୁ ମାଗଣା ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook