ମୁଖ୍ୟ ଖବର
ଭୁବନେଶ୍ୱର: ନିକଟରେ ସରକାରୀ ଚାକିରୀର ବିଭିନ୍ନ ପଦବୀ ପାଇଁ ଓପିଏସସି ତରଫରୁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ଏଥିରେ ଓଏଏସ, ଓଏଫଏସ ଏବଂ ଓଆରଏସ ପଦବୀ ନଥିବାକୁ ନେଇ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ସରକାରଙ୍କର ଅପାରଗପଣିଆ ପାଇଁ ଏପରି ହୋଇଛି ବୋଲି ଅଭିଯୋଗ କରିବା ସହିତ ତୁରନ୍ତ ସଂଶୋଧନ କରି ଏଥିରେ ଏହି ପଦବୀ ଗୁଡିକୁ ସାମିଲ କରିବା ପାଇଁ ବିଜେଡି ଦାବି କରିଛି ।
ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଏକ ଅପାରଗ ସରକାର ଚାଲିଛି ଯାହା ଫଳରେ ଏହିଭଳି ତ୍ରୁଟି ବିଚ୍ୟୁତି ନିୟମିତ ଭାବେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ, ନବୀନ ସରକାରଙ୍କର ୨୪ ବର୍ଷର ଶାସନ ସମୟରେ ପ୍ରତିବର୍ଷ ଓଏଏସ, ଓଏଫଏସ ଏବଂ ଓଆରଏସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଥିଲା । ପ୍ରଥମ ଥର ପାଇଁ ଏହି ପଦବୀ ଗୁଡିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ରାଜ୍ୟ ସରକାରଙ୍କ ଅପାରଗପଣିଆ ଶିଖର ଛୁଇଁଲାଣି । ଗତ ୧୮ ମାସର ବିଜେପି ଶାସନରେ ୨୦ଟି ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଲାଣି । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଜାତୀୟ ସ୍ତରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଚାକିରୀ ଆଶାୟୀମାନେ ହତାଶ ହୋଇ ପଡିଛନ୍ତି । ରାଜ୍ୟ ସରକାର ପରିସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ନିଜ ପିଠି ନିଜେ ଥାପୁଡେଉଛନ୍ତି । ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଶ୍ରୀ ସାହୁ କହିଛନ୍ତି, ସରକାର ରାଜ୍ୟର ମେଧାବୀ ଯୁବକମାନଙ୍କ ଭବିଷ୍ୟତ ସହ ନଖେଳନ୍ତୁ । ଯେଉଁ ଦିନ ଯୁବକମାନେ ଜାଗିବେ, ସେ ଦିନ ଏ ସରକାରକୁ ଉଚିତ ଜବାବ ଦେବେ । ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟର ଋଣଭାରରେ ଏହି ସମୟରେ ଅହେତୁକ ବୃଦ୍ଧି ପାଇଛି । ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଉଛନ୍ତି ରାଜ୍ୟ ସରକାର । ଓଏଏସ, ଓଏଫଏସ ଏବଂ ଓଆରଏସ ପଦବୀ ବାହାର ନକରିବା ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଉଛି । ଏହି ପଦବୀ ଗୁଡିକ ସାଧାରଣ ପ୍ରଶାସନ ବିଭାଗର ଅନ୍ତର୍ଗତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ବିଭାଗର ଦାୟିିତ୍ୱରେ ଥିବାରୁ ସେ ଏଥିପାଇଁ ନିଜେ ଦାୟୀ । ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ ।
ଇପ୍ସିତା ସାହୁ କହିଥିଲେ, ଏଥିନେଇ ଚାକିରୀ ଆଶାୟୀ ମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅତ୍ୟନ୍ତ ତରବରିଆ ଭାବେ ଏକ ପ୍ରେସ ବିବୃତ୍ତି ଜାରି କରାଯାଇ ନିଯୁକ୍ତି ପ୍ରକ୍ରିୟାରେ ଏହି ପଦବୀ ଗୁଡିକୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ, ତାଙ୍କୁ ଏହି ପଦବୀ ଗୁଡିକ ସାମିଲ କରିବା ଲାଗି ଅନୁରୋଧ କରିବାକୁ ପଡୁଛି । ଏହାଛଡା, ଏହି ପ୍ରେସ ବିବୃତିରେ, ବିଜେପି ସରକାର ଇତି ମଧ୍ୟରେ ୪୦ ହଜାର ନିଯୁକ୍ତି ଦେଲେଣି ବୋଲି କୁହାଯାଇଛି । କିନ୍ତୁ, ୨୦ଟି ନିଯୁକ୍ତି ପରୀକ୍ଷା ବିଭ୍ରାଟ ହୋଇଛି । ନବୀନ ସରକାରଙ୍କ ସମୟରେ ୧୭,୦୦୦ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ବିଜେପି ସରକାର କେବଳ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ତେଣୁ, ରାଜ୍ୟ ସରକାର ବାହାସ୍ପଟ ମାରିବା ଛାଡି ତୁରନ୍ତ ଏହି ପଦବୀ ଗୁଡିକୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରନ୍ତୁ । ବିଜୁ ଜନତା ଦଳ ସବୁ ସମୟରେ ଛାତ୍ର ଯୁବ ବର୍ଗର ସ୍ୱର ହୋଇଛି । ଏହି ପଦବୀ ଗୁଡିକୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରାନଗଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଇପ୍ସିତା ସାହୁ କହିଥିଲେ ।
Comments ସମସ୍ତ ମତାମତ