ମୁଖ୍ୟ ଖବର
ଭୁବନେଶ୍ୱର : ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ୟାତନା ଭଳି ହୃଦୟ ବିଦାରକ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି।
ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଏହି ବର୍ବରକାଣ୍ଡ ଓଡ଼ିଶାକୁ ଦେଶରେ ବଦନାମ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବାର ଏହା ଏକ ନଗ୍ନ ନମୂନା। ରାଜ୍ୟର ସମ୍ବେଦନହୀନ ନେତୃତ୍ୱ ପ୍ରତ୍ୟେକ ଦିନ ଏଭଳି ଅଘଟଣକୁ ଅଣଦେଖା କରିବା ଦ୍ୱାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛି। ଖାରିଗୁମ୍ମା ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ତୁରନ୍ତ ପଦକ୍ଷେପ ନେବାକୁ ଡ଼ ମହାନ୍ତି ଦାବି କରିଛନ୍ତି।
ଏହିଭଳି ଘଟଣା ପାଇଁ ଦିନକୁ ଦିନ ଓଡ଼ିଶାର ମାନ ସମ୍ମାନ ନିମ୍ନଗାମୀ ହେବାରେ ଲାଗିଛି। ଓଡ଼ିଆ ଅସ୍ମିତା ପ୍ରତ୍ୟେକ ଦିନ ଭୃଲୁଣ୍ଠିତ ହେଉଛି। ସରକାର ଯଦି ସକ୍ରିୟ ଭାବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଡ଼ ମହାନ୍ତି କହିଛନ୍ତି।
Comments ସମସ୍ତ ମତାମତ