ମୁଖ୍ୟ ଖବର
ଭୁବନେଶ୍ୱର: ରାଜାଙ୍କ କଣ୍ଢେଇ ଭାଙ୍ଗିଲା କେମିତି ? ରଙ୍ଗ ଛଡେଇଲା କିଏ? କାହାକୁ କହିଲେ କାରିଗର ? କାହାକୁ କଲେ ଟାର୍ଗେଟ ? ବିଜେଡିର ବରିଷ୍ଠ ବିଧାୟକଙ୍କ ମୁଁହରେ କଣ୍ଢେଇ କାହାଣୀ। ତା ପୁଣି ଆଠଗଡ଼ ସଭା ମଞ୍ଚରେ, ସରକାରୀ କାର୍ୟ୍ୟକ୍ରମରେ। ତେବେ ଏଠି ପ୍ରଶ୍ନ କାହାକୁ ଇଙ୍ଗିତ କରି କଣ୍ଢେଇ ଉପାଖ୍ୟାନ ଶୁଣାଇଛନ୍ତି ରାଜା। ବିଜେଡିରେ କଣ୍ଢେଇ କିଏ? ଆଠଗଡ଼ର ମଞ୍ଚ ଥିଲା ସ୍ୱାୟତ୍ତ ଶାସନ ଦିବସର; କିନ୍ତୁ ମଞ୍ଚରୁ ରାଜା ଶୁଣାଇଛନ୍ତି ‘କଣ୍ଢେଇ’ ଉପାଖ୍ୟାନ। ଏହା କେବଳ କଥା ଛଳ ଥିଲା ନା ଭିତରେ ଥିବା ଅସନ୍ତୋଷ ର ପ୍ରତିଫଳନ। ରାଜା ସ୍ୱାଇଁ କାହାରି ନାଁ ନେଇ ନଥିଲେ ବି ଶାଣିତ ଭାଷଣ ଦଳ ପରିଚାଳନା ଆଡ଼କୁ ଇସାରା ଦେଉଛି। ଶଙ୍ଖ ଭବନଠାରୁ ନବୀନ ନିବାସ ଯାଏ ଦଳୀୟ କାର୍ୟ୍ୟକଳାପରେ ବରିଷ୍ଠ ନେତାଙ୍କ ଅନୁପସ୍ଥିତିକୁ ନେଇ ଆଲୋଚନା ଚାଲିଛି। ଆଉ ଏହି ପରିବେଶରେ ରାଜାଙ୍କ ‘କଣ୍ଢେଇ’ କାହାଣୀ ଚର୍ଚ୍ଚାକୁ ଦେଇଛି ନୂଆ ଇନ୍ଧନ। ଖାଲି ସେତିକି ନୁହଁ ୨୦୨୪ ପରିବେଶ ଖରାପ ହୋଇଗଲା, ଆଣ୍ଟି-ଇନ୍କମ୍ବେନ୍ସି କାମ କଲା। ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ହାରିବା ପ୍ରସଙ୍ଗ ଉଠାଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛନ୍ତି।ରାଜା ବହୁ ଦିନ ହେବ ଦଳ ଠାରୁ ଦୁରେଇ ଦୁରେଇ ରହୁଛନ୍ତି। ଶଙ୍ଖ ଭବନ ବି ମାଡୁ ନାହାଁନ୍ତି। ଦଳୀୟ ସଂଗଠନଠାରୁ ତାଙ୍କ ଦୂରତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ଭିତରେ ରାଜା ସ୍ୱାଇଁଙ୍କୁ ସ୍ପଷ୍ଟବାଦୀ କହି ସମର୍ଥନ ଜଣାଇଛନ୍ତି ବିଜେଡି ବିଧାୟକ ଗଣେଶ୍ଵର ବେହେରା। ଅର୍ଥାତ ରାଜା ଯାହା ଅନୁଭବ କରିଛନ୍ତି ତାହା କହିଛନ୍ତି। ତେବେ ପ୍ରଶ୍ନ ଦଳର ବାଗ୍ ଡୋର କଣ ଠିକ୍ ହାତରେ ନାହିଁ କି! ବିଜେପି କହିଛି, ରାଜା ନିଜେ ଜାଣନ୍ତି ପାଣି କୁଆଡ଼େ ଯାଉଛି! ରାଜା ସ୍ୱାଇଁ ଯାହା କହିଲେ ଭୁଲ ନୁହେଁ। ରାଜା ଜାଣିଛନ୍ତି କିଏ ସେ କଣ୍ଢେଇ।
କଣ୍ଢେଇ କାହାଣୀ ପରେ ବିଜେଡ଼ି ରାଜନୀତି ସରଗରମ। ଏବେ ଦେଖିବାର କଥା ଜଣଙ୍କ ପରେ ଜଣେ ବରିଷ୍ଠ ଅସନ୍ତୋଷ ଝାଡିବା ଆରମ୍ଭ କରିଥିବା ବେଳେ ନବୀନଙ୍କ ଆଗାମୀ ପଦକ୍ଷେପ କଣ ରହୁଛି?
Comments ସମସ୍ତ ମତାମତ