ମୁଖ୍ୟ ଖବର
ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, "ମହାନଦୀ ଜଳ ବିବାଦକୁ ନେଇ ବିଜେପି ଦଳ ଓଡ଼ିଶାରେ ବିରୋଧୀ ଦଳରେ ଥିବାବେଳେ ତକ୍ରାଳୀନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ । ଏବେ ସରକାରକୁ ଆସିବା ପରେ ତାହାକୁ ଭୁଲି ଯାଇଛନ୍ତି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମହାନଦୀ ଜଳ ବିବାଦର ସମାଧାନ ହୋଇନପାରିବା ଅତ୍ୟନ୍ତ ଲଜ୍ଜାଜନକ । ସରକାରକୁ ଆସିବା ପରେ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ଓଡ଼ିଶାବାସୀଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି । ଜଳ ବିବାଦର ସମାଧାନ ନ ହେବା ଫଳରେ ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ବିଜେପି ସରକାର ପାଇଁ ହୋଇଛି । ବନ୍ୟାରେ ଓଡ଼ିଶା ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯାଇ ଆଲୋଚନା କରୁଛନ୍ତି ।"
ଭୃଗୁ ବକ୍ସିପାତ୍ର ଆହୁରି କହିଛନ୍ତି, "ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି । ଉକ୍ତ ଟ୍ରିବ୍ୟୁନାଲ ୬ ଦିନ ଧରି ଓଡ଼ିଶା ବୁଲିକି ଗଲେ । ଏନେଇ ରାଜ୍ୟ ସରକାର ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଲେ, କିନ୍ତୁ ଫଳ ଶୂନ୍ୟ । ଓଡ଼ିଶାକୁ ନ ଜଣାଇ ଛତିଶଗଡ କଲମା ବ୍ୟାରେଜ ଗେଟ୍ ଖୋଲିବାରୁ ଓଡ଼ିଶାରେ ବନ୍ୟା ବିତ୍ପାତ ହେଲା । ଏଥିପାଇଁ ବିଜେପି ସରକାର ହିଁ ସମ୍ପୂର୍ଣ୍ଣ ଭାବେ ଦାୟୀ । ଗତ ଜୁନ ୨୦୨୪ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସତ୍ୟବାଦୀ ଗସ୍ତରେ ଆସି ୩ ମାସରେ ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଦଳୀୟ ସ୍ୱାର୍ଥକୁ ଛାଡି ଓଡ଼ିଶାର ସ୍ୱାର୍ଥ ପାଇଁ ନିଜକୁ ସମର୍ପଣ କରନ୍ତୁ । ଅନ୍ୟମାନଙ୍କୁ ଖୁସି କରାଇବାକୁ ଛତିଶଗଡ ପାଖରେ ଓଡ଼ିଶାକୁ ବିକି ନ ଦିଅନ୍ତୁ । ଛତିଶଗଡ ସରକାରର ମନମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶା ଉପେକ୍ଷିତ ହେଉଛି । ରାଜ୍ୟ ସରକାର ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ବୈଠକରେ କ’ଣ ଆଲୋଚନା ହୋଇଛି ତାହାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ।"
Comments ସମସ୍ତ ମତାମତ