ମୁଖ୍ୟ ଖବର
କଟକ: ବିଜୁ ଜନତା ଦଳର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ଚର୍ଚ୍ଚା ପରେ ଗଡ଼ ସଜାଡିବାକୁ କଟକରେ ବିଜେଡିର ବଡ଼ ବୈଠକ ହୋଇଛି । କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ଘରେ ବିଜେଡିର ଟାଣୁଆ ନେତାଙ୍କୁ ନେଇ ବଡ଼ ବୈଠକ ହୋଇଛି । ପ୍ରଭାତ ବିଶ୍ୱାଳଙ୍କ ପରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିବା ଚର୍ଚ୍ଚା ହେଉଛି ।ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର, ବିଜେଡି ଉପ ସଭାପତି ଦେବୀ ମିଶ୍ର, ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା, କଟକ ମେୟର ସୁବାସ ସିଂ, କଟକ ଜିଲ୍ଲା ବିଜେଡି ସଭାପତି, ଦଳର ନେତା ଓ କର୍ପୋରେଟରମାନଙ୍କୁ ନେଇ ଏହି ବୈଠକ ଆୟୋଜନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ପ୍ରଭାତ ବିଶ୍ୱାଳ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ବିଜେଡିର ସଙ୍ଗଠନ ଦାୟିତ୍ୱରେ ଥିବାବେଳେ ତାଙ୍କ ସ୍ଥାନ କିଏ ନେବ ଏବଂ ସଂଗଠନକୁ କିପରି ମହଜୁତ କରାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ଏପରିକି ଦଳର କିଛି ଅଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରାଯାଇଛି ।ଏହି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । ବିଜେଡି ଦଳ ଛାଡୁଥିବା ନେତାଙ୍କୁ କଟାକ୍ଷ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଛନ୍ତି, "ବର୍ତ୍ତମାନ ବର୍ଷାଦିନ, ଝଡ଼ ତୋଫା ରେ କେତେ ପତ୍ର ଉଡ଼ି ଏଣେତେଣେ ପଳାଇ ଯାଉଛନ୍ତି । ଯାହାଙ୍କର ହୃଦୟ ଆମ ସହ ଅଛି ସେମାନେ ଆମ ସହ ସବୁବେଳେ ରହିବେ । ଯିଏ 'ଟିକାଉ' ସିଏ ରହିବେ ଯିଏ 'ବିକାଉ' ସିଏ ଚାଲିଯିବେ । ବିଜୁ ଜନତା ଦଳ ବୃହତ୍ ଦଳ । ଦୁଇ ଚାରିଜଣ ଚାଲିଗଲେ କିଛି ଅସୁବିଧା ନାହିଁ ।" କେବଳ ସେତିକି ନୁହେଁ ବରଂ କଟକ ନେତୃତ୍ୱ ନେବା ପାଇଁ ବହୁତ ଲୋକ ଅଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ।ସେହିପରି ବରିଷ୍ଟ ବିଜେଡି ନେତା ତଥା ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ପୂର୍ବରୁ ଯେପରି ଦଳ ଚାଲିଥିଲା ସେମିତି ଦଳ ଚାଲିବ । ଦଳ ଆହୁରି ମଜବୁତ ହେବ ।"
ସେହିପରି ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, "ଏହା ମେଳି ନୁହେଁ ବରଂ ଦଳର ସାଙ୍ଗଠନିକ ବୈଠକ । ଦଳ କିଭଳି ମଜବୁତ ହୋଇପାରିବ ତାହା ଆଲୋଚନା ହୋଇଛି । ଚୌଦ୍ବାର କଟକରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଏବଂ ବିଧାୟକ ସୌଭିକ ବିଶ୍ବାଳ, ବିଜେଡି ଓ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ଜିତୁଥିଲେ । ଚୌଦ୍ବାର କଟକରେ ବହୁ ବରିଷ୍ଠ ନେତୃତ୍ବ ରହିଛନ୍ତି । ସେମାନେ ନେତୃତ୍ବ ନେଇପାରିବେ ।"
Comments ସମସ୍ତ ମତାମତ