Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏସ୍ଆଇଆର ଭୋଟର ତାଲିକାରେ ୨୦ ନୁହେଁ ୨୭ ଲକ୍ଷ ଭୋଟର ବାଦ୍ ପଡିଛନ୍ତି: ବିଜେଡି

    Share on :
    ajab-Image
    Date: Jul 6, 2026    Views: 2786

    ଭୋଟରଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି

    ପ୍ରକ୍ରିୟାରେ କଟିଲେ ଅନେକ ଯୋଗ୍ୟ ଭୋଟର 
    ସରଳୀକରଣ କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ ପାଇଁ ଦାବି  

    ଭୁବନେଶ୍ୱର: ରାଜ୍ୟରେ ଏସଆଇଆର ପ୍ରକ୍ରିୟା ହୋଇ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି । ଏନେଇ ବିଜେଡ଼ି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ନାୟକ ଏସଆଇଆର ପ୍ରକିୟା ନେଇ ପ୍ରଶ୍ନ ଉଠାଇଛନ୍ତି । 

               ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିଥିଲେ । ଏସଆଇଆର ପ୍ରକିୟା ଆରମ୍ଭ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ଭୋଟର ତାଲିକା ଏବଂ ବର୍ତ୍ତମାନର ପ୍ରକାଶିତ ଭୋଟର ତାଲିକାରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଛି । ୨୦୨୫ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଜଣ ଭୋଟର ତାଲିକା ୱେବସାଇଟରେ ଉପଲବ୍ଧ ଥିଲା । ମେ ୧୪ ତାରିଖରେ ଏସ୍ଆଇଆର ପାଇଁ ଓଡିଶାରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ନୋଟିଫିକେସନ ହେବା ପରେ ମଇ ୧୫ ତାରିଖରେ ବିଭିନ୍ନ ରାଜନୈତିକ ଦଳର ବୈଠକରେ ୩କୋଟି ୩୪ଲକ୍ଷ ଭୋଟର ନେଇ ତଥ୍ୟ ପ୍ରଦାନ ହୋଇଥିଲା । ପୁଣି ଜୁନ୍ ୧୨ ତାରିଖରେ ତାହାକୁ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ବୋଲି ଦର୍ଶାଯାଇଥିଲା । ତେବେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ତାହାକୁ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଜଣ ଭୋଟର ଅଛନ୍ତି ବୋଲି କହିଛନ୍ତି । ତେବେ ସମସ୍ତ ପ୍ରଦତ୍ତ ତଥ୍ୟ ମଧ୍ୟରେ କିଛି ତାଳମେଳ ରହୁନାହିଁ । ଯେହେତୁ ୨୦୨୫ ଭୋଟର ତାଲିକା ସହିତ ୨୦୦୨ ମସିହାରେ ଓଡିଶାରେ ହୋଇଥିବା ଶେଷ ଏସ୍ଆଇଆର ଭୋଟର ତାଲିକା ସହ ମ୍ୟାପିଂ କରାଯାଇ ୨୦୨୬ ଏସଆଇଆର ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି ତେଣୁ କରି ୨୦୨୫ ଚୂଡାନ୍ତ ତାଲିକାରେ ଥିବା ଭୋଟର ସଂଖ୍ୟାକୁ ଅନୁଶୀଳନ କଲେ ଓଡିଶାରେ ଯାହା କୁହାଯାଇଛି,  ୨୦ଲକ୍ଷ ୧୪ହଜାର ଭୋଟର ଚିଠା ତାଲିକାରୁ ବାଦ୍ ପଡ଼ିଥିବା ବେଳେ କିନ୍ତୁ ବାସ୍ତବରେ ୨୭ଲକ୍ଷ  ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ସେହି ଅନୂଯାୟୀ ଅନେକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ତାରତମ୍ୟ ରହିଛି । ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରୁ ୭୫ଟିରେ ୧୦,୦୦୦ରୁ ଉଦ୍ଧ୍ୱର୍, ତା’ମଧ୍ୟରୁ ୪୯ଟିରେ ୧୫,୦୦୦ରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ ପଡିଛନ୍ତି । ଏସଆଇଆର ପ୍ରକି୍ରୟାରୁ ଅନେକ ଲୋକ ବାଦ୍ ପଡିବା ଏକ ଚିନ୍ତାଜନକ ବିଷୟ ପାଲଟିଛି । ଏସଆଇଆର ଦ୍ୱାରା ଶୁଦ୍ଧ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରକାଶ ନେଇ ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯେଉଁ ଘୋଷଣା କରିଥିଲେ । ତାହାର ଏଠାରେ ପରିପ୍ରକାଶ ହୋଇ ପାରିଲାନାହିଁ । ନିର୍ବାଚନରେ ମତଦାନ କରିବା ଭୋଟରଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ତାହାକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି କହିଛନ୍ତି । ଅନେକ ବର୍ଷ ଧରି ଓଡ଼ିଶାରେ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଜନସାଧାରଣମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଯାହାକି ଅତି ନିନ୍ଦନୀୟ । ଏହାସହିତ ଏସଆଇଆର ପ୍ରକ୍ରିୟାକୁ ଅନେକ ଜଟିଳ କରାଯାଇଥିଲା । ତାହାକୁ ସରଳୀକରଣ କରିବା ନେଇ ବିଜେଡି ପକ୍ଷରୁ ପୂର୍ବରୁ ଦାବି ଉପସ୍ଥାପନ କରାଯାଇଥିଲା । ସରଳୀକରଣ ପ୍ରକ୍ରିୟା ହେବା ଦ୍ୱାରା ନୂତନ ଭୋଟର ତାଲିକାରୁ ବାଦ ପଡିବାର ସମ୍ଭାବନା ରହିବ ନାହିଁ । କିନ୍ତୁ ତାହାକୁ ସରଳୀକରଣ ନକରି ବିଭିନ୍ନ ନଥିପତ୍ର ମାଗି ଏସଆଇଆର ପ୍ରକ୍ରିୟାକୁ ଆହୁରି ଜଟିଳ କରାଯାଇଥିଲା । ଏସଆଇଆର ପ୍ରକି୍ରୟାକୁ ସରଳୀକରଣ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଅସଙ୍ଗତ ତଥ୍ୟ ଗୁଡିକ ବାଦ୍ ଦେଇ ପୁନର୍ବାର ଯାଞ୍ଚ କରି ତାଲିକାରୁ ବାଦ୍ ପଡିଥିବା ଭୋଟରଙ୍କୁ ଯୋଡ଼ିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅଯୋଗ୍ୟ ଭୋଟରଙ୍କୁ ବାଦ ଦେଇ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଯୋଡି ମତଦାନ ପରି ମୌଳିକ ଅଧିକାର ପ୍ରଦାନ କରିବାକୁ ଦାବି ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook