Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    JSW ପ୍ଲାଣ୍ଟ ପୁନଃ ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ମୋହନ ସରକାର: ବିଜେଡି

    Share on :
    ajab-Image
    Date: May 28, 2026    Views: 2709

    ଭୁବନେଶ୍ବର: ଜଗତସିଂହପୁରର ଢିଙ୍କିଆ, ନୂଆଗାଁର ଗଡ଼କୁଜଙ୍ଗରେ ନବୀନ ସରକାର ସମୟରେ JSW ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଶିଳାନ୍ୟାସ କରାଯାଇଥିଲା । ବର୍ତ୍ତମାନର ବିଜେପି ସରକାର ସମାନ ପ୍ରକଳ୍ପର ପୁନଃ ଶିଳାନ୍ୟାସ କରି ବାଃ ବାଃ ନେବା ନିନ୍ଦନୀୟ ବୋଲି କହିଛି ବିଜୁ ଜନତା ଦଳ । ଯେଉଁ ପୁଞ୍ଜିନିବେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିଲେ, ସେହି JSW ପ୍ଲାଣ୍ଟର ପୁନଃ ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବାରୁ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି ।

    ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, "ନବୀନ ସରକାରଙ୍କ ଅମଳରେ 'ମେକ୍ ଇନ୍ ଓଡ଼ିଶା' କାର୍ଯ୍ୟକ୍ରମରେ ପାରାଦ୍ବୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢିଙ୍କିଆ ନୂଆଗାଁର ଗଡ଼କୁଜଙ୍ଗରେ JSW ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ JSW ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା କରି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପୂର୍ବ ସରକାର କରିଥିବା କାମକୁ ବର୍ତ୍ତମାନର ବିଜେପି ସରକାର ନିଜ କାମ କହି ଡିଣ୍ଡିମ ପିଟିବା ଅତ୍ୟନ୍ତ ହାସ୍ୟାସ୍ପଦ । ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସୁଥିବା କଥା ସରକାର କହୁଛନ୍ତି । ବାସ୍ତବରେ କେତେ ପୁଞ୍ଜିନିବେଶ ଆସିଛି ଓ କେତେ ପୁଞ୍ଜି ଗ୍ରାଉଣ୍ଡେଡ ହୋଇଛି, ତାହା ଓଡ଼ିଶାବାସୀଙ୍କ ନିକଟରେ ଉପସ୍ଥାପନା କରନ୍ତୁ ।"
    ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ନିଯୁକ୍ତି ସୃଷ୍ଟି ନାଁରେ ଯୁବବର୍ଗଙ୍କୁ ହତାଶ କରି ତାଙ୍କ ଭାବନା ସହିତ ସରକାର ନ ଖେଳନ୍ତୁ । ପ୍ରକଳ୍ପ ପ୍ରତିଷ୍ଠା ନାଁରେ ମିଛ କହିବାରୁ ସରକାର ନିବୃତ୍ତ ରୁହନ୍ତୁ । ରାଜ୍ୟକୁ ପୁଞ୍ଜିନିବେଶ ଆସିଲେ ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେଡି ସ୍ୱାଗତ କରିବ । କାହିଁକି ନା ପୁଞ୍ଜିନିବେଶ ଆସିବା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବ, ଯାହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କରୁଥିଲା । ବର୍ତ୍ତମାନ ସରକାରର ଶିଳ୍ପ ମନ୍ତ୍ରୀ ଶିଳ୍ପର ବିକାଶ ନାଁରେ ନିଜର ବିକାଶ ଅଧିକ କରୁଛନ୍ତି । ଯାହା JSW ପ୍ରତିଷ୍ଠିତ ହୋଇଥିବା ଅଞ୍ଚଳର ଜନସାଧାରଣ ଆଲୋଚନା କରୁଛନ୍ତି ।

    "ରାଜ୍ୟରେ କଞ୍ଚାମାଲ, ଭଲ ନେତୃତ୍ୱ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଥିଲେ ନିବେଶ ଆସେ । କିନ୍ତୁ ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନେ ମନ ବଳାଉ ନାହାନ୍ତି । ଅପରପକ୍ଷରେ ରାଜ୍ୟକୁ ନୂତନ ପୁଞ୍ଜି ଆଣିବା ବାହାନାରେ ରାଜ୍ୟ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଦେଶ ବିଦେଶ ଭ୍ରମଣ କରିବାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବମାନେ ମାତିଛନ୍ତି ।

    ଗତ ୨ ବର୍ଷ ଭିତରେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଭିଡ଼ ହିଂସା ଘଟି ନିରୀହ ଜୀବନ ଯାଉଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଏବେ ୧ ନମ୍ବର ସ୍ଥାନରେ ରହିଛି । ପୂର୍ବ ସରକାର କରିଥିବା କାମକୁ ପୁଣିଥରେ କରି ମୁଖ୍ୟମନ୍ତ୍ରୀ ବାହାବା ନେବା ପରିବର୍ତ୍ତେ, ପ୍ରଥମେ ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ କରନ୍ତୁ । ନଚେତ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ " ବୋଲି ଲେନିନ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook