ମୁଖ୍ୟ ଖବର
ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧିକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେଡି କହିଛି ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି । ଖାଉଟି ଦହଗଞ୍ଜ ହେଉଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସରକାର ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳ ଉପରେ ଚଡ଼କ ପଡିଛି । ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।
ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଲଗାତାର ଭାବରେ ତେଲ ଦର ବଢି ଚାଲିଛି । ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର ଦ୍ରବ୍ୟର ଦର ବଢ଼ିବାରେ ଲାଗିଛି । ଆମ ଦଳର ସଭାପତି ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଲୋକଙ୍କ ପ୍ରତି ନିଘା ନାହିଁ । ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ଲୋକଙ୍କଠୁ ତୈଳ କମ୍ପାନୀମାନେ ଲାଭ କମାଇଥିଲେ । ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୧ ଦିନ ଭିତରେ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମର ବୋଝ ଲଦି ଦେଇଛନ୍ତି ।"
ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "ଲଗାତାର ଭାବେ ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେହିମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ଯୁଦ୍ଧ ବାହାନାରେ ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଛି । ୫ ରାଜ୍ୟର ନିର୍ବାଚନ ସରିବା ପରେ ଗ୍ୟାସ ଓ ପେଟ୍ରୋଲର ଦର ବଢି ଚାଲିଛି । ଏହା ଜନ ବିରୋଧୀ ନିଷ୍ପତ୍ତି । ସାଧାରଣ ଲୋକଙ୍କ ପକେଟକୁ ଲୁଟ କରାଯାଉଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକଙ୍କ ସ୍ୱର ହୋଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତିକୁ ଜବାବ ଦିଆଯିବ ।"
ବିଜେଡିର ଉପସଭାପତି ପ୍ରତାପ ଜେନା କହିଛନ୍ତି, "ଗତ ୧୧ ଦିନରେ ୪ ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲାଣି । ଏପରି ଆଗରୁ କେବେ ଦେଖିବାକୁ ମିଳି ନଥିଲା । ଏହାର ପ୍ରଭାବ ଖାଉଟି ବଜାର ଉପରେ ମଧ୍ୟ ପଡିଛି । ଡାଲି ଓ ତେଲର ଦର ବଢିଛି । ଯାହା ଖାଉଟିଙ୍କ ଉପରେ ବୋଝ । ରାଜ୍ୟ ସରକାର ଭାଟ୍ କମାଇବା ଆବଶ୍ୟକ । ଭାଟ୍ ମୁକ୍ତ କରାଯାଉ । ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିଲା । ଆଜି ସେମାନେ ସରକାର ଥିବାବେଳେ ତାହାକୁ ଲାଗୁ ନ କରି ତୈଳ ଦର ବାରମ୍ବାର ବୃଦ୍ଧି କରି ସାଧାରଣ ଜନତାଙ୍କ ସହିତ ବେଇମାନୀ କରୁଛନ୍ତି ।"
ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, "ଭାରତର ବନ୍ଧୁ ରାଷ୍ଟ୍ର ଋଷିଆ ଓ ଇରାନ ଅଶୋଧିତ ତୈଳ କମ ମୂଲ୍ୟରେ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ ଭାରତ ସରକାର କ’ଣ ପାଇଁ ସେମାନଙ୍କ ଠାରୁ ଅଶୋଧିତ ତୈଳ କିଣୁନାହିଁ ? କେଉଁ ଅଦୃଶ୍ୟ ଶକ୍ତି ଚାପରେ ଭାରତ ସରକାର ଭେନେଜୁଏଲ ଓ ଆମେରିକା ଠାରୁ ଚଢ଼ା ଦରରେ ଅଶୋଧିତ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ । ବିଗତ ୧୧ ଦିନ ଭିତରେ ଯେଉଁ ଦର ବଢିଛି ଏହା କ'ଣ ଆଛେ ଦିନ ? ଆମର କ'ଣ ଦୁର୍ବଳତା ରହିଛି ଯେ, ଋଷିଆ ଠାରୁ ତେଲ କିଣି ପାରୁନାହାଁନ୍ତି । ଆଗକୁ ଆନ୍ଦୋଳନ ଜୋରଦାର ହେବ ।"
Comments ସମସ୍ତ ମତାମତ