ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ଦିନଠୁ ବଢ଼ିବାରେ ଲାଗିଛି ଚାଷୀ ସମସ୍ୟା । ରାଜ୍ୟରେ ମଣ୍ଡି ଓ ଟୋକନ ସମସ୍ୟା ଯୋଗୁଁ ବଢୁଛି ଚାଷୀ ଅସନ୍ତୋଷ । ନିଜର ହକ ପାଇଁ ବାଧ୍ୟ ହୋଇ ରାଜରାସ୍ତାରେ ଲଢ଼େଇ କରୁଛି ଚାଷୀ । କଟନୀ ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ସରକାର । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ସାଧାରଣ ନିର୍ବାଚନରେ ଚାଷୀକୂଳ ପାଇଁ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଚାଷୀଙ୍କୁ ଏମଏସପି ସହିତ ୮୦୦ ଟଙ୍କାର ଇନପୁଟ ସବସିଡି ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାର ଚାଷୀମାନଙ୍କୁ ଶୋଷଣ କରୁଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି । ରାଜ୍ୟରେ ଚାଷୀମାନଙ୍କ ସମସ୍ୟା ଉତ୍କଟ ରୂପ ନେଉଥିବାବେଳେ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି, ଚାଷୀକୂଳ ପ୍ରତି ଉଦାସୀନତା ପନ୍ଥା ଅବଲମ୍ବନ କରିବା ନିନ୍ଦନୀୟ । ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାର ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ, ଏମଏସପି ସହିତ ୮୦୦ ଟଙ୍କାର ଇନପୁଟ ସବସିଡି ଦେଇ ଧାନ କିଣିବୁ । ଚାଷୀର ସମସ୍ତ ବଳକା ବିକ୍ରିଯୋଗ୍ୟ ଧାନ ସଂଗ୍ରହ କରିବୁ । ଏହା ଭିତରେ ଦୁଇଟି ଆର୍ଥିକ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଅପାରଗତା କାରଣରୁ ଚାଷୀକୂଳ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛି । ବିଜେପିର ମିଛ ପ୍ରତିଶ୍ରୁତିର ଶିକାର ହୋଇ ଚାଷୀକୁ ଆଜି ରେଜିଷ୍ଟ୍ରେସନ ପାଇଁ, ଟୋକନ ପାଇଁ, ମଣ୍ଡି ଖୋଲିବା ପାଇଁ ଓ ନିଜ କଷ୍ଟ ଉପାର୍ଜିତ ଫସଲକୁ କିପରି ବିକ୍ରି କରିପାରିବେ ସେଥିପାଇଁ ବାରମ୍ବାର ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ପଡୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଆଗରେ ହଜାର ହଜାର ଚାଷୀଙ୍କ ଆକୁଳ ରୋଦନ ଆଜି ସାରା ଭାରତବର୍ଷରେ ମୁଖ୍ୟ ଖବର ହୋଇଛି । ରାଜ୍ୟର ଖାଦ୍ୟ ଭଣ୍ଡାର କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଚାଷୀଭାଇ ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ଚାଷୀକୂଳ ପ୍ରତି ଥିବା ବୈମାତୃକ ମନୋଭାବ ବିରୋଧରେ ରାଜରାସ୍ତାରେ ଗର୍ଜନ କରୁଛନ୍ତି । ଦୁଃଖ ଓ ପରିତାପର ବିଷୟ, ଚାଷୀକୂଳ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ବିଜେପି ଦଳ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ସମସ୍ୟା ଦୂର କରନ୍ତୁ । ସରକାର ଯଦି ଆଗକୁ ଚାଷୀଙ୍କ ସମସ୍ୟା ପ୍ରତି ଯଦି କୌଣସି ଠୋସ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଆନ୍ଦୋଳନକୁ ତୀବ୍ରତର କରିବ ।
ଚାନ୍ଦବାଲି ବିଧାୟକ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ କହିଛନ୍ତି, "ଖରିଫ ସିଜିନରେ ରେକର୍ଡ ସଂଖ୍ୟକ ଧାନ ଅମଳ ହୋଇଛି । ଗତବର୍ଷ ଯେଉଁ ଧାନ ସଂଗ୍ରହ ହୋଇଥିଲା, ତାହା ସରକାର ଓ ମିଲମାନଙ୍କ ପାଖରେ ଭରପୂର ମାତ୍ରାରେ ରହିଥିଲା । ସରକାରଙ୍କ ପାଖରେ ଆଉ ଜାଗା ନଥିଲା ଏ ବର୍ଷର ଧାନ କିଣିବା ପାଇଁ । ଯାହା ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସ୍ୱୀକାର କରିଛନ୍ତି । ସରକାର ପ୍ରଥମ ଦିନରୁ ଚେଷ୍ଟା କରିଥିଲେ କିପରି ଏବର୍ଷ କମ ଧାନ ସଂଗ୍ରହ କରାଯିବ । ସରକାର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଜଟିଳ କରିବା ସହିତ ୧୫୦ କ୍ୱିଣ୍ଟାଲ ଉପରକୁ କୌଣସି ଚାଷୀ ଧାନ ବିକ୍ରି କରିପାରିବ ନାହିଁ କହି ଚାଷୀକୂଳକୁ ହତାଦର କଲେ । ବିଜେପି କ୍ଷମତାକୁ ଆସିବା ଦିନଠୁ କେବଳ ଚାଷୀ ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି, ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଏ କ୍ଷେତ୍ରରେ ଏବେ ୧ ନମ୍ବର ସ୍ଥାନରେ ରହିଛି । ସରକାର ଚାଷୀକୂଳର ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ, ନଚେତ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହି ଚେତାବନୀ ଦେଇଛନ୍ତି ଚାନ୍ଦବାଲି ବିଧାୟକ ।
Comments ସମସ୍ତ ମତାମତ