Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଡବଲ ବାଲାଟ : ନିର୍ବାଚନ କମିଶନରଙ୍କୁ ସସ୍ମିତଙ୍କ ଚିଠି

    Share on :
    ajab-Image
    Date: Apr 29, 2026    Views: 2255

    ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ବିଜେପି ପକ୍ଷରୁ ଡବଲ ବାଲାଟ ବ୍ୟବହାର ଅଭିଯୋଗ କରିଥିଲା ବିଜୁ ଜନତା ଦଳ । ଦଳ ପୁଣି ଉଠେଇଲା ବେଆଇନ ଡବଲ ବାଲାଟ ପ୍ରସଙ୍ଗ । ଏନେଇ ଦଳ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି ।
    ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡ଼. ସସ୍ମିତ ପାତ୍ର । ରାଜ୍ୟସଭା ନିର୍ବାଚନରେ ଡବଲ ବାଲାଟ ବ୍ୟବହାର ଉପରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି ସାଂସଦ । ସସ୍ମିତ ଚିଠିରେ ଦର୍ଶାଇଛନ୍ତି, "ରାଜ୍ୟସଭା ନିର୍ବାଚନରେ ବ୍ରହ୍ମପୁର ବିଧାୟିକା ଉପାସନା ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ ପେପର ପ୍ରଦାନ କରାଯାଇଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ ତଥା ଅବୈଧ । ଏ ନେଇ ସେତେବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।"

    ସସ୍ମିତ ଆହୁରି ମଧ୍ୟ କହିଛନ୍ତି, "ନିରପେକ୍ଷ ନିର୍ବାଚନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ। ଏଥିରେ କୌଣସି ପ୍ରକାର ଅନିୟମିତତାକୁ ବିଜୁ ଜନତା ଦଳ କେବେ ବରଦାସ୍ତ କରିବ ନାହିଁ। ​ଓଡ଼ିଶାର ସ୍ୱାର୍ଥ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ବିଜେଡି ସର୍ବଦା ଲଢ଼େଇ ଜାରି ରଖିବ । ରାଜ୍ୟସଭା ନିର୍ବାଚନ 2026ରେ ହୋଇଥିବା ଅନିୟମିତତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁନର୍ବାର ବିଜେଡିର ଦାବି । ଗଣତନ୍ତ୍ରର ଗରିମା ବଜାୟ ରଖିବା ପାଇଁ ନିର୍ବାଚନୀ ନିୟମର ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ଏହା ସହ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ବିଜୁ ଜନତା ଦଳର ପ୍ରତିନିଧିମଣ୍ଡଳୀଙ୍କୁ ସମୟ ଦେବାକୁ ଦାବି କରାଯାଇଛି’’ ।

    ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ମାର୍ଚ୍ଚ 18ରେ ଭୋଟିଂ ସମୟରେ ଉପାସନା ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ ପେପର ପ୍ରଦାନକୁ ଆମେ ବିରୋଧ କରିଥିଲୁ । ପ୍ରଥମେ ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକ ଇ ମେଲ ଜରିଆରେ ଅଭିଯୋଗ ଆଣିଥିଲେ । 1961 ଆଇନକୁ ଉଲଂଘନ କରୁଥିବା ଆମେ ଯୁକ୍ତି ରଖିଥିଲୁ । ସମସ୍ତ ତଥ୍ୟ ସମ୍ବଳିତ ଅଭିଯୋଗ ଆମେ ଦଳ ତରଫରୁ କରିଥିଲୁ’’ ।

    ଫେବୃଆରୀ 16ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଦଳରୁ ନିଲମ୍ବିତ 8 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଏହା ପୂର୍ବରୁ ଅଣ୍ଟା ଭିଡି଼ଥିଲା ବିଜେଡି । ସବୁ ଆଇନଗତ ଦିଗକୁ ତର୍ଜମା ପରେ ତଥ୍ୟ ପ୍ରମାଣ ସହ ଏହି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି କ୍ରମରେ ସମସ୍ତ ବିଧାୟକ ବାଚସ୍ପତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ବିଧାନର ଦଶମ ଅନୁଚ୍ଛେଦକୁ ଅଧାର କରି ଦଳ ବିରୋଧୀ କାର୍ଯ୍ୟ ଓ ଅନ୍ୟାନ୍ୟ ବିଭିନ୍ନ ଦିଗକୁ ପ୍ରମାଣ ସ୍ୱରୂପ ପ୍ରଦାନ କରି ସମ୍ପୃକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପକ୍ଷରୁ ବାଚସ୍ପତିକୁଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook