ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ କ୍ରସ ଭୋଟିଂ ପରେ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କୁ ନିଲମ୍ବନ ପରଠୁ ସିଏମସିରେ ଥିବା ବିଜୁ ଜନତା ଦଳ କର୍ପୋରେଟରଙ୍କ ଗତିକୁ ନେଇ ଏବେ ସନ୍ଦେହାତ୍ମକ ସ୍ଥିତି। ଯାହାକୁ ଅଧିକ ରୋଚକ କରିଛି ବାପା ପ୍ରଭାତ ବିଶ୍ବାଳଙ୍କ ସହ ଦଳୀୟ କର୍ପୋରେଟରଙ୍କ ଘନ ଘନ ରୁଦ୍ଧ ଦ୍ବାର ବୈଠକ। ଯେହେତୁ ପ୍ରଭାତଙ୍କ ନେତୃତ୍ବକୁ ସମର୍ଥନ କରି ଏକାଧିକ କର୍ପୋରେଟର ସିଏମସିରୁ ଇସ୍ତଫା ଦେବାକୁ ଖୋଲାଖୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ, ତେଣୁ ଛାନିଆ ହୋଇଛି ଦଳ।
ଏମିତିକି ଘଳିଆ ବନ୍ଧେଇବାକୁ ସୁପ୍ରିମୋ ବିଜେଡି ନେତା ପ୍ରତାପ ଜେନାଙ୍କୁ କଟକ ପଠାଇଥିବା ଚର୍ଚ୍ଚା ହେଉଛି। ପ୍ରତାପ କୁଆଡ଼େ ଚୌଦ୍ବାର-କଟକ ବିଜେଡିର ମଙ୍ଗ ଧରିବେ ବୋଲି ବି ଶୁଣିବାକୁ ମିଳିଛି। ତେବେ ଯେଉଁ ୪୪ ନମ୍ବର ୱାର୍ଡର କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ଘରେ ଗତକାଲି ପ୍ରତାପ ଜେନା ଓ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ଗୁପ୍ତ ମନ୍ତ୍ରଣା ହୋଇଥିଲା, ସେ ନେଇ ପ୍ରଦୀପ୍ତ କିନ୍ତୁ ସ୍ପଷ୍ଟ କରିନଥିବାବେଳେ ସେଠିକୁ ସବୁ କର୍ପୋରେଟରଙ୍କୁ ଡକାନଯିବାକୁ ନେଇ କଥା ବାଆଁରେଇଛନ୍ତି।
ଏଣେ ଏ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ଆସିନଥିବାବେଳେ କେହି କେହି ବିଜେଡି କର୍ପୋରେଟର ପ୍ରଭାତ ବିଶ୍ବାଳଙ୍କୁ ନେତା ମାନୁଥିବାବେଳେ ଆଉ କେହି କେହି ଦଳ ସହ ରହିବେ ବୋଲି କହିଛନ୍ତି। ଏଥରର ରାଜ୍ୟସଭା ନିର୍ବାଚନ ଦୋହଲାଇ ଦେଇଛି କଟକର ବିଜେଡି ଓ କଂଗ୍ରେସ ସଂଗଠନ। ବିଜେଡିରୁ ସୌଭିକ ବିଶ୍ବାଳ ଓ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହ କଂଗ୍ରେସରୁ ସୋଫିଆ ଫିର୍ଦ୍ଦୋସଙ୍କ ନିଲମ୍ବନ ତିନି ତିନିଟି ନିର୍ବାଚନ ମଣ୍ଡଳୀ କଟକ-ଚୌଦ୍ବାର, ବାଙ୍କୀ ଓ ବାରବାଟୀ କଟକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି।
ବାରବାଟୀରେ ପ୍ରଥମେ ମହମ୍ମଦ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ, ଏବେ ଝିଅ ସୋଫିଆଙ୍କ ବିରୋଧରେ ଆକ୍ସନ ବି କଂଗ୍ରେସ କର୍ପୋରେଟରଙ୍କୁ ହଜମ ହୋଇନି। ଏମିତିକି ସିଏମସିରେ ଥିବା କଂଗ୍ରେସର ୮ କର୍ପୋରେଟରଙ୍କ ମଧ୍ୟରୁ ଅଧିକାଂଶ ମୋକିମ୍ ଙ୍କ ନୂଆ ଦଳ ଆଡ଼କୁ ଢଳୁଥିବା ସଙ୍କେତ ମିଳିଲାଣି। ତେଣେ ଆଉ କିଛି କର୍ପୋରେଟର ଅନାସ୍ଥା ଆଣି ନିଗମ ଭାଙ୍ଗିବାକୁ ହେଉଥିବା ଉଦ୍ୟମକୁ ନାପସନ୍ଦ କରିଛନ୍ତି।
ସେପଟେ କଟକର ସାଂପ୍ରତିକ ରାଜନୈତିକ ଗୋଳିଆ ପାଣିରୁ ଫାଇଦା ନେବା ଚକ୍କରରେ ରହିଛି ବିଜେପି।...ଏବେ ଦେଖିବାର କଥା କଟକର ରାଜନୈତିକ ପାଣିପାଗ ଆଗକୁ କେଉଁ ମୋଡ଼ ନେଉଛି।...
Comments ସମସ୍ତ ମତାମତ