ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଶେଷ କରି କ୍ରସ୍ ଭୋଟିଂକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶିବିରରେ ଛନକା ପଶିଛି। ନିଜର ବିଧାୟକମାନଙ୍କୁ ଏକାଠି ରଖିବା ଏବଂ ଅନ୍ୟ ଦଳ ଆଡ଼କୁ ଭୋଟ୍ ନଯିବା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଉଛି । ନବୀନ ନିବାସରେ ବିଜେଡି ବିଧାୟକଙ୍କର ତୁହାକୁ ତୁହା ବୈଠକ ଚାଲିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ବିଧାୟକମାନଙ୍କୁ ପାଳିପାଳି କରି ଡକାଯାଉଛି ଏବଂ ସେମାନଙ୍କୁ ମହାପ୍ରସାଦ ଛୁଆଇଁ ଦଳ ପ୍ରତି ଅନୁଗତ ରହିବା ଓ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଶପଥ କରାଯାଉଛି। ଯେଉଁ ବିଧାୟକଙ୍କ ଉପରେ ସନ୍ଦେହ ରହିଛି, ସେମାନଙ୍କ ପାଇଁ ରିସୋର୍ଟ ପ୍ରସ୍ତୁତ ରଖାଯାଇଛି ଯେପରି ସେମାନେ ଅନ୍ୟ କାହା ସମ୍ପର୍କରେ ନଆସିପାରନ୍ତି ।
ଅନ୍ୟପଟେ ବିଜେପି ଶିବିର ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି। ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସେମାନଙ୍କ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନିଶ୍ଚିତ ଭାବେ ବିଜୟୀ ହେବେ । ଏହି ସଂଖ୍ୟା ଗଣିତ ଏବଂ ଛକାପଂଝା ଭିତରେ ରାଜ୍ୟସଭା ନିର୍ବାଚନ ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି ।
Comments ସମସ୍ତ ମତାମତ