Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି

    Share on :
    ajab-Image
    Date: Feb 28, 2026    Views: 2601

    ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ଯେହେତୁ ୪ର୍ଥ ରାଜ୍ୟ ସଭା ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନାହିଁ, ସେଥିପାଇଁ ଏ ବିଷୟ ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଉଷ୍ମକରି ରଖିଛି। ଶୁକ୍ରବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବିଧାୟକମାନଙ୍କ ପାଇଁ ନବୀନ ନିବାସରେ ଏକ ବୈଠକ ଡାକିଥିଲେ। ରାଜ୍ୟ ସଭା ନିର୍ବାଚନ ପାଇଁ କୁଆଡ଼େ ସବୁ ବିଧାୟକଙ୍କ ଦସ୍ତଖତ ନେବା ଲାଗି ଏହି ବୈଠକ ଡକାଯାଇଥିବା ଅନେକ ବରିଷ୍ଠ ଏବଂ ଯୁବ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ହେଲେ ବୈଠକରେ ବିଧାୟକଙ୍କ ସଂଖ୍ୟା ଦେଖିବାପରେ ଦସ୍ତଖତ ଅଭିଯାନକୁ କେବଳ ଚା ଏବଂ ଜଳଖିଆରେ ସୀମିତ ରଖାଯାଇଛି।
    ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସବୁ ବିଧାୟକଙ୍କୁ ନେଇ ନବୀନ ବୈଠକ ଡାକିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଧରାଯିବ। କାରଣ ୪ ରାଜ୍ୟ ସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ବିଧାୟକମାନେ ହିଁ ଭୋଟ ଦେବେ। ତେଣୁ ବୈଠକରେ ସବୁ ବିଧାୟକଙ୍କୁ ଏକାଠି କରି ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ନବୀନ ନିଜର ବଳ ଦେଖାଇବାକୁ ଚେଷ୍ଟା କରୁଥାଇପାରନ୍ତି। ହେଲେ ଦଳର ସଭାପତିଙ୍କ ଡକରା ସତ୍ତ୍ୱେ ବୈଠକରେ ପାଖାପାଖି ୩୦ରୁ ୩୫ ଜଣ ବିଧାୟକ ଉପସ୍ଥିତ ରହିଲେ ବୋଲି ନବୀନ ନିବାସ ଯାଇଥିବା କେତେଜଣ ସଦସ୍ୟ କହିଛନ୍ତି। ଅର୍ଥାତ୍‌ ଆହୁରି ୧୩ କିମ୍ବା ତା’ଠାରୁ ଅଧିକ ବିଧାୟକ ବୈଠକକୁ ଆସିଲେ ନାହିଁ। ଏତେଜଣ ବିଧାୟକଙ୍କ ଅନୁପସ୍ଥିତି ସମ୍ପର୍କରେ ନବୀନ ବୋଧହୁଏ ଅନୁଭବ କରିପାରି ସେଠାରେ ଉପସ୍ଥିତ କେତେଜଣଙ୍କ ସହ କିଛି ସମୟ କଥା ହୋଇ ସେଠାରୁ ଚାଲିଯାଇଥିଲେ। ସେ ରାଜ୍ୟ ସଭା ନିର୍ବାଚନ ବାବଦରେ କୌଣସି ପ୍ରକାର ଚର୍ଚ୍ଚା କରି ନ ଥିଲେ। ତା’ପରେ ନବୀନ ନିବାସ ଯାଇଥିବା ବିଧାୟକମାନଙ୍କ ପାଇଁ ସାଣ୍ଡଓ୍ବିଚ୍‌ ଏବଂ ଚା’ର ବ୍ୟବସ୍ଥା ହୋଇଥିଲା। ବିଧାୟକମାନେ ମଧ୍ୟ ଚା, ଜଳଖିଆ ଖାଇ ସେଠାରୁ ଫେରିଛନ୍ତି।
    ଶେଷରେ ବୈଠକକୁ ଏକ ପ୍ରକାର ବାତିଲ କରାଯାଇ ବିଧାୟକମାନଙ୍କୁ ପୁଣିଥରେ ଶନିବାର ପୂର୍ବାହ୍ନ ୧୧.୩୦ ମିନିଟ୍‌ ସମୟରେ ଡକାଯାଇଛି। ଆଉଥରେ ସବୁ ବିଧାୟକଙ୍କୁ ନବୀନ ନିବାସ ପକ୍ଷରୁ ଶନିବାର ବୈଠକ ପାଇଁ ଟେଲିଫୋନ୍‌ ଯୋଗେ ଜଣାଇ ଦିଆଯାଇଛି। ଏଥର ସବୁ ବିଧାୟକ ଆସିବେ ନା ନାହିଁ ତାହା ଦେଖିବା ପରେ ବହୁ କିଛି କଥା ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook