Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

    Share on :
    ajab-Image
    Date: Feb 17, 2026    Views: 2819

    ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ୟ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଆଗତ କରିବେ। ଏହି ଦୃଷ୍ଟିରୁ ଦେଖିଲେ ଶାସକ ଦଳ ପାଇଁ ଏହି ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହେଲେ ବିଭିନ୍ନ ପ୍ରସଙ୍ଗରେ ସରକାର ବିଫଳ ହେଉଥିବା କଥାକୁ ପ୍ରସଙ୍ଗ କରି ବିରୋଧୀ ଦଳ ପକ୍ଷରୁ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଉପଯୁକ୍ତ ଭାବେ ନ ହେବା, ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ଅବ୍ୟବସ୍ଥା, ମଣ୍ଡି ନ ଖୋଲିବା, କଟ୍‌ନି ଛଟ୍‌ନି ଆଦି ବିଷୟକୁ ନେଇ ସରକାରଙ୍କୁ ଘେରିବା ସହିତ ଗୃହ ଚଳାଇ ନ ଦେବାକୁ ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିବା ଶୁଣିବାକୁ ମିଳିଛି।
    ବୈଠକରେ ଉପସ୍ଥିତ ଜଣେ ବିଧାୟକଙ୍କ ସୂଚନା ମୁତାବକ, ଏଥର ଗୃହରେ ଚାଷୀ ସମସ୍ୟା ଏବଂ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଷୟ ଉଠାଇ ଗୃହ ଚଳାଇ ନ ଦେବାକୁ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗୃହରେ ବିରୋଧୀ ଯେତେ ହୋହଲ୍ଲା କରି ହଙ୍ଗାମା କରିବେ ତାହା ଶାସକ ଦଳକୁ ସୁହାଇବ। ଏ ଅନୁଭୂତି ଦଳର ସଭାପତିଙ୍କ ପାଖରେ ରହିଛି। ନବୀନ କିନ୍ତୁ ଗୃହ ଚଳାଇ ନ ଦେବାକୁ କହିବା ସହିତ ଆଲୋଚନାରେ ମଧ୍ୟ ଭଲ ଭାବେ ଭାଗ ନେବା ପାଇଁ କହିଥିଲେ ବୋଲି ବିଧାୟକ ଜଣକ କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୈଠକ ସମୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ଯଦି ଆମେ ଗୃହରେ ହଟ୍ଟଗୋଳ କରିବା, ତେବେ ଆଲୋଚନାରେ କେମିତି ଭାଗ ନେବା। ଅନ୍ୟ ବରିଷ୍ଠ ନେତା ତଥା ପ୍ରସନ୍ନ ଆଚାର୍ୟ୍ୟ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ମତାମତ ରଖିବା ପାଇଁ ସୁଯୋଗ ପାଇଥିବା ଜଣାପଡ଼ିଛି।
    ବୈଠକରେ ନବୀନ କହିଛନ୍ତି, ମଙ୍ଗଳବାରଠାରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାକୁ ଗୁରୁତ୍ୱର ସହ ନେବା ଦରକାର। ସରକାରଙ୍କ ଦୁର୍ବଳତା ଲୋକଲୋଚନକୁ ଆଣିବା ଦରକାର। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଡବଲ ଇଞ୍ଜିନ ସରକାର ସ୍ଲୋଗାନ ଦେବାରେ ବ୍ୟସ୍ତ। ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଭାଇମାନେ ରାତି ବିତାଉଛନ୍ତି। ବିଜେଡି ସବୁବେଳେ ଚାଷୀମାନଙ୍କ ସହିତ ରହିଛି। ସରକାରଙ୍କ ଚାଷୀ ବିରୋଧୀ କାର୍ୟ୍ୟକଳାପକୁ ଦଳ ବିରୋଧ କରୁଛି। ଚାଷୀମାନଙ୍କ ପାଇଁ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରୁଛି। ଗତ ୯ ତାରିଖରେ କଟ୍‌ନି ଛଟ୍‌ନି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବୋଲି ନବୀନ କହିଛନ୍ତି। ମଣ୍ଡିରୁ ଚାଷୀଙ୍କ ସ୍ବର ସରକାରଙ୍କୁ ଶୁଣାଯାଉନି, କିନ୍ତୁ ବିଧାନସଭାରେ ଏହି ବିଷୟରେ ବିରୋଧ କରି ଚାଷୀଙ୍କ କଣ୍ଠ ହୁଅ। ସରକାର କେବଳ ଚାଷୀଙ୍କର କ୍ଷତି କରିନାହାନ୍ତି, ବରଂ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିଛନ୍ତି। ଡିସେମ୍ବର ପର୍ୟ୍ୟନ୍ତ ସରକାର ବଜେଟ ଅର୍ଥର ମାତ୍ର ୪୭% ଖର୍ଚ୍ଚ କରିପାରିଛନ୍ତି। କେତେଗୁଡ଼ିଏ ବିଭାଗ ମାତ୍ର ୧୫% ଖର୍ଚ୍ଚ କରିଛନ୍ତି।

    ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଗଲାଣି। ରାଜ୍ୟରେ ଶିଶୁ, ମହିଳା କେହି ସୁରକ୍ଷିତ ନୁହନ୍ତି। ମହାନଦୀ ପ୍ରସଙ୍ଗରେ ସରକାର ଏଯାଏ କିଛି କଲେନାହି। ଛତିଶଗଡ଼ ସରକାର କାର୍ୟ୍ୟ ବିରୋଧରେ ରାଜ୍ୟ ସରକାର ପୂରା ଚୁପ୍‌ ହୋଇଯାଇଛନ୍ତି। ସରକାର କେବଳ ମିଛ ପ୍ରଚାର ଛାଡ଼ିଦେଲେ, ସବୁଥିରେ ଫେଲ୍‌ ହେଉଛନ୍ତି। ରାଜ୍ୟର ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ବିଜେଡି ଜୋର୍‌ଦାର ଲଢ଼େଇ କରିବ ବୋଲି ନବୀନ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook