ମୁଖ୍ୟ ଖବର
ଭୁବନେଶ୍ଵର : ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ନେଇ ବିଜେଡିର ଟାର୍ଗେଟ୍। ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲେ। ହେଲେ ଡବଲ ଇଞ୍ଜିନ ସରକାର ଆସିବା ପରେ ଭୁଲିଗଲେ। ଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ନେଇ ରାଜ୍ୟ ବିଜେପି ନିରବ। ଫେବୃଆରୀ ୧୦ ତାରିଖ ଦିନ ସଂସଦ ଅଧିବେଶନରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ନେଇ ସସ୍ମିତ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ମିଳିଲା ଏନେଇ କୌଣସି ପ୍ରସ୍ତାବ ଆସିନି। ଏଥିରୁ ପ୍ରମାଣିତ ହେଉଛି ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ ଚିନ୍ତା କରୁ ନାହାଁନ୍ତି।
ବିଜେଡି ନେତା କହିଛନ୍ତି ଯେ, ଆଜି କ୍ୟାବିନେଟ୍ ବୈଠକ ବସିବ। ବୈଠକରେ ବଜେଟ୍ କୁ ଅନୁମୋଦନ ମିଳିବ। ଯଦି ସତସାହାସ ଅଛି ରାଜ୍ୟ ସରକାର ଆଜି ପ୍ରସ୍ତାବ ଆଣନ୍ତୁ। କେନ୍ଦ୍ରକୁ ଚିଠି ଲେଖି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରନ୍ତୁ। ଯଦି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳୁନି, ତାହେଲେ କେନ୍ଦ୍ର ମନା କଲା ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କୁହନ୍ତୁ। ବିଜେପିର ଦୋମୁହାଁ ନୀତି ଚଳିବ ନାହିଁ। ଇଣ୍ଡଷ୍ଟ୍ରିଆଲ କରିଡର, ହାଇସ୍ପିଡ୍ ରେଲ କରିଡର, ବୁଦ୍ଧିଷ୍ଟ କରିଡରରେ ଓଡ଼ିଶା ପାଇଁ କିଛି ନାହିଁ। ରେୟାର ଆର୍ଥରୁ ଚାଷୀ କଣ ପାଇବେ ? ଡବଲ ଇଞ୍ଜିନ ସରକାରର ଦୁଇ ବର୍ଷରେ ଓଡ଼ିଶା କଣ ପାଇଲା ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।
ସେପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ୨୦୧୪ ସଂକଳ୍ପ ପତ୍ର ବିଜେପି ପାଇଁ ଗୀତା ସଦୃଶ। ଯାହା କରିବା ଦରକାର, ତାହା ବିଜେପି ସରକାର କରୁଛି। ଅଧାରୁ ଅଧିକ ସଂକଳ୍ପ ପୂରଣ ହୋଇଛି। ବାକି ଖୁବଶୀଘ୍ର ପୂରଣ ହେବ। ଦୁର୍ଭାଗ୍ୟର ବିଷୟ, ବିଜେଡି ଦୀର୍ଘ ୨୪ ବର୍ଷ ଶାସନ ସତ୍ୱେ, ନିଜ ସରକାର ସମୟରେ ଯାହା କହିଥିଲେ, ତାହା ଜାଣି ନାହାନ୍ତି। ନହେଲେ ଏପରି ଅବାନ୍ତର ପ୍ରଶ୍ନ କରି ଲୋକଙ୍କୁ ବିଭ୍ରାନ୍ତ କରନ୍ତେନି। ଓଡ଼ିଶା ଶିଳ୍ପ ସମୃଦ୍ଧ ହେବ। ବିଜେଡି ସମୟରେ ଯାହା ମଗା ଯାଉଥିଲା, ତାହା ଠାରୁ ଅଧିକ ରେଳବାଇରେ କେନ୍ଦ୍ର ଦେଉଥିଲା। ୨୦୧୪ ପୂର୍ବରୁ ରେଳବାଇରେ ଯାହା ମିଳୁଥିଲା, ତା ଠାରୁ ୧୩% ଅଧିକ ମିଳିଛି। ଏହା ନିନ୍ଦୁ ମାନସିକତା, ଏ କଥା କଣ ବିଜେଡି ଗ୍ରହଣ କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
Comments ସମସ୍ତ ମତାମତ