ମୁଖ୍ୟ ଖବର
ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ପୁଣି ତେଜିଲା ବୟାନବାଜି। ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନଥିବାବେଳେ ଗତ ୧୯ ମାସରେ ଛତିଶଗଡ଼ ଅନେକ ଚେକ୍ ଡ୍ୟାମ୍ ଓ ବାଲିବନ୍ଧ ନିର୍ମାଣ କରିଥିବା ବିଜେଡି ଅଭିଯୋଗ କରିଛି। ଏପରିକି ଆପୋସ ଆଲୋଚନା ନା ନ୍ୟାୟାଧିକରଣ (ଟ୍ରାଇବୁନାଲ) ମାଧ୍ୟମରେ ବିବାଦର ସମାଧାନ ହେବ ସେନେଇ ରାଜ୍ୟ ସରକାର ଦ୍ବନ୍ଦ୍ବରେ ଥିବା ବିଜେଡି ଅଭିଯୋଗ କରିଛି। ଜବାବରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପାଲଟା ପ୍ରଶ୍ନ କରିବା ସହ ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, ମହାନଦୀ ଜଳ ବିବାଦ ସମାଧାନ ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ସରକାର ଦ୍ୱନ୍ଦ୍ୱରେ ଅଛନ୍ତି। ପ୍ରଥମେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ ବୋଲି କୁହାଗଲା, କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଲା ନାହିଁ। ପୁଣି ନ୍ୟାୟାଧିକରଣ ଯିବା କଥା କୁହାଗଲା, କିନ୍ତୁ ନ୍ୟାୟାଧିକରଣର ଅବଧିକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଧାରିତ ସମୟରେ ଚିଠି ଲେଖାଗଲାନାହିଁ। ଗତ ୧୯ ମାସରେ ଛତିଶଗଡ଼ ଏକାଧିକ ଚେକ୍ ଡ୍ୟାମ ଓ ବାଲିବନ୍ଧ ନିର୍ମାଣ କରିଛି। ରାଜ୍ୟ ସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ କମିଟି କେବଳ ନିଜ ସଦସ୍ୟଙ୍କ ସହିତ ଦୁଇଟି ବୈଠକ କରିଛି। ଏହି କମିଟି ସହିତ ସମସ୍ତ ରାଜନୈତିକ ଦଳ ଓ ସମସ୍ତ ଅଂଶୀଦାରଙ୍କ ବୈଠକ ହେବ ବୋଲି ଦିନ ସ୍ଥିର କରାଯାଇଥିଲା। ତାହା ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ଛତିଶଗଡ଼ ଓଡ଼ିଶା ସରକାରଙ୍କ କଥାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ ଓ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଛତିଶଗଡ଼ ଏବେ ଅଧିକ ଜଳ ରୋକିବାକୁ ତଳ ଅଞ୍ଚଳରେ ଓ ଉପ ନଦୀରେ ମଧ୍ୟ ଚେକ୍ ଡ୍ୟାମ୍ ଓ ବାଲି ବନ୍ଧ ନିର୍ମାଣ କରୁଛି। ତୁରନ୍ତ ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜାନୁଆରୀ ୩୧ରେ ଛତିଶଗଡ଼ ଯାଇ ସେଠାରେ ସେମାନଙ୍କ ଏକ ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ସହିତ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକୁ ବାତିଲ କରି ଦିଆଯାଇଛି। ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହାର ସମାଧାନ ହୋଇପାରିବା ନେଇ ଯେଉଁ ଆଶା ଦେଖାଯାଉଥିଲା ସେ ଦିଗରେ ସେପରି କିଛି ଅଗ୍ରଗତି ହୋଇନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
Comments ସମସ୍ତ ମତାମତ