Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିମାପଡ଼ା ନିର୍ବାଚନମଣ୍ଡଳୀ: କିଏ ହେବେ ଆଗାମୀ ବିଜେଡି ନେତା

    Share on :
    ajab-Image
    Date: Feb 6, 2026    Views: 3275

    ଭୁବନେଶ୍ୱର:ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ ପରିଡ଼ା ବିଜୟୀ ହୋଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ତାଙ୍କ ବିରୋଧରେ ବିଜେଡି ନେତୃତ୍ୱ ସୃଷ୍ଟି କରିବାକୁ ଚିନ୍ତା କରି ଦଳର ଏକ ସାଙ୍ଗଠନିକ ବୈଠକ ଗୁରୁବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିମାପଡ଼ା ନିର୍ବାଚନମଣ୍ଡଳୀର କେତେଜଣ ନେତା ଓ କର୍ମୀଙ୍କୁ ବୈଠକରେ ସାମିଲ କରାଯାଇଛି। ଦିଲୀପ ନାଏକ ୨୦୨୪ ସାଧାରଣ ନିର୍ବାଚନରେ ନିମାପଡ଼ା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ିବା ପରେ ଦିଲୀପଙ୍କୁ ଦଳ ଟିକେଟ ଦେଇଥିଲା। ହେଲେ କିଛି ମାସ ତଳେ ଏକ ଠକେଇ ମାମଲାରେ ଦିଲୀପ ଗିରଫ ହୋଇ ଜେଲ ଯିବା ପରେ ଏହି ଆସନରେ ଦଳର ନେତୃତ୍ୱ କିଏ ନେବ ତାକୁ ନେଇ ଆଶଙ୍କା ଭିତରେ ବିଜେଡି ରହିଥିବା ଚର୍ଚ୍ଚା ହେଉଛି। ନିମାପଡ଼ା ବିଧାନସଭା ଆସନର ଇତିହାସ ଅନୁଯାୟୀ ୨୦୦୦ ଏବଂ ୨୦୦୪ ମସିହାରେ ଭାଜପା ପ୍ରାର୍ଥୀ ବାଇଧର ମଲିକ ଏଠାରୁ ଜିତିଥିଲେ। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ସମୀର ଦାଶ ଏହି ଆସନରୁ ଲଗାତର ବିଜୟୀ ହେଲେ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ସରକାର ଥିଲା। ତେଣୁ ୨୦୦୦ ଏବଂ ୨୦୦୪ରେ ଏହି ଆସନ ଭାଜପା ଭାଗରେ ପଡିଥିଲା।

    ସମୀର ସାଧାରଣ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହୋଇଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲେ ମଧ୍ୟ ସେ ପ୍ରଭାତୀଙ୍କୁ ନିର୍ବାଚନରେ ସହଯୋଗ କରିଥିଲେ। କିଛିଦିନ ହେଲା ସମୀର ନିମାପଡ଼ାର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମାନ୍ତରାଳ କାର୍ଯ୍ୟକ୍ରମ କରି ପ୍ରଭାତୀଙ୍କ ବିରୋଧରେ ମତ ରଖୁଛନ୍ତି। ଏଥିଲାଗି ଭାଜପା ଜିଲା ସଭାପତି ଦେବେନ୍ଦ୍ର ତରେଇ କିଛିଦିନ ତଳେ ସମୀରଙ୍କୁ ଦଳର ବିନା ଅନୁମତିରେ କାର୍ଯ୍ୟ କରୁଛନ୍ତି ଏହା ଠିକ୍‌ ନୁହେଁ ବୋଲି କହି ପରୋକ୍ଷ ଚେତାବନୀ ଦେଇଥିଲେ। ହେଲେ ଏଯାଏଁ ସମୀରଙ୍କ ବିରୋଧରେ ଭାଜପା ବିଧିବଦ୍ଧ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସମୀରଙ୍କୁ ବିଜେଡିକୁ ଫେରାଇ ଆଣିବା ଲାଗି ମଧ୍ୟ ଦଳର ବହୁ ନେତା ଅମଙ୍ଗ ଅଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ କାହାକୁ ନେତୃତ୍ୱ ଦେବେ ବୋଲି ଦଳ ଚିନ୍ତାକରି ଗୁରୁବାର ବୈଠକ ଡକାଇ ଆଲୋଚନା କରିଥିବା ଜଣାପଡିଛି। ବିଜେଡି ଜଣେ ନେତାଙ୍କୁ ଖୋଜୁଛି ଯାହାଙ୍କ ଦ୍ୱାରା ଜିଲା ପରିଷଦ ଏବଂ ଏନ୍‌ଏସି ଟିକେଟ ଆସନ୍ତା ନିର୍ବାଚନ ସମୟରେ ବାଣ୍ଟିପାରିବ। ହେଲେ ଦଳ ପୁନର୍ବିଚାରକରି ଦଳର ସଙ୍ଗଠନ କିପରି ପୂର୍ବଭଳି ମଜଭୁତ ହେବ ସେକଥା ଉପରେ ଆଲୋଚନା କରୁ ନ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ନିମାପଡ଼ା ନିର୍ବାଚମଣ୍ଡଲୀର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି, ଆଗରୁ ଦଳ ଜଣେ ବେପାରୀଙ୍କୁ ଡାକି ଦଳରେ ମିଶାଇ ଟିକେଟ ଦେଲା। ସେ ଠକେଇ ଅଭିଯୋଗରେ ଜେଲ ଯିବାପରେ ସେଠାରେ ସେହି ନେତାଙ୍କର ଯେତିକି କ୍ଷତି ନ ହେଲା ଦଳର ଭାବମୂର୍ତ୍ତିକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଲେ। ଏବେ ଦଳ ଆଉ ଜଣେ ବେପାରୀଙ୍କୁ କୁଆଡ଼େ ଆଣି ଏଠାରେ ନେତୃତ୍ୱ ଦେବାକୁ ଚେଷ୍ଟା କରୁଥିବା ଶୁଣାଯାଉଛି। ଯଦି ଏମିତି ହେବ ସେଥିରୁ ବୁଝିବାକୁ ହେବ, ପରୋକ୍ଷରେ ଦଳ ଭବିଷ୍ୟତ ପାଇଁ ଭାଜପାକୁ ଜିତାଇବାକୁ ଆଉ ଏକ ନୂଆ ବାଟ ତିଆରି କରିବାକୁ ଯୋଜନା କରୁଛି।

     

    Maximum 500 characters

    ରାଜନୀତି View all

    Find Us on Facebook