Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରେ ପୁଣି ‘ଉତ୍ତରାଧିକାରୀ’ ଝଡ଼

    Share on :
    ajab-Image
    Date: Jan 29, 2026    Views: 2994

    ଭୁବନେଶ୍ବର : ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ନେତୃତ୍ବ ଦେବା ସପକ୍ଷରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୁକ୍ତି ବାଢ଼ିବା ପରେ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି। ଦଳର ଦୁଇ ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ଗଣେଶ୍ବର ବେହେରା ଏହାର ତୀବ୍ର ବିରୋଧ କରିବା ସହ ଯୋଗ୍ୟତାର ପରିଭାଷା ବୁଝାଇ ଦେଇଛନ୍ତି।
    ବିଧାୟକ ଦିବ୍ୟଶଙ୍କର କହିଥିଲେ, କଳିକେଶ ରାଜ୍ୟର ନେତୃତ୍ବ ନିଅନ୍ତୁ। ତାଙ୍କୁ ଦାୟିତ୍ବ ଦେଲେ ଭଲ ହେବ। ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମିତି ଆଗାମୀ ଦିନରେ ଆମେ କଳିକେଶଙ୍କୁ ନେତା କରି ଠିଆ କରିବା, ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ। କଳିକେଶଙ୍କ ପାଖରେ ଯୋଗ୍ୟତା ଏବଂ ଦକ୍ଷତା ଅଛି। ଓଡ଼ିଶା ନେତୃତ୍ବ ନେବାକୁ ସେ ସକ୍ଷମ। ପୁଣି ଥରେ‌ ବଲାଙ୍ଗୀର ରାଜ୍ୟର ନେତୃତ୍ବ ନେଉ ବୋଲି ଆମେ ପ୍ରାର୍ଥନା କରୁଛୁ। କଳିକେଶ କହିଛନ୍ତି, ବିଜେଡିରେ ଜଣେ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଉତ୍ତରାଧିକାରୀ ବିଷୟ ହେଉଛି ଭବିଷ୍ୟତର କଥା। ଆମେ ମିଶି କରି କିପରି ବଲାଙ୍ଗୀର, ପଶ୍ଚିମ ଓଡ଼ିଶା ଏବଂ ସମଗ୍ର ଓଡ଼ିଶାର ବିକାଶ କରିବା; ସେ ଧାରାରେ ଆମକୁ ରହିବାକୁ ହେବ। ସବୁବେଳେ ନବୀନ ବାବୁ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦେଇଥାନ୍ତି।
    କଳିକେଶଙ୍କୁ ନେତୃତ୍ବ ଦେବା ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କୁ ଯୁକ୍ତିକୁ ବିରୋଧ କରିଛନ୍ତି ଅରୁଣ ଓ ଗଣେଶ୍ବର। ଅରୁଣ କହିଛନ୍ତି ଯେ, ଉତ୍ତରାଧିକାରୀ ବ୍ୟବସ୍ଥା ସାମନ୍ତବାଦୀ ଚିନ୍ତାଧାରା। ମୁଁ ବ୍ୟକ୍ତିଗତ ଭାବେ ସେଥିରେ ସହମତ ନୁହେଁ। କିଏ କେତେ ଯୋଗ୍ୟ, କେତେ ଦକ୍ଷ; ତାହା ଜନସାଧାରଣଙ୍କ ଆଶୀର୍ବାଦ ଓ କାର୍ୟ୍ୟପନ୍ଥା ଉପରେ ନିର୍ଭର କରିବ। ଜଣେ ଜଣଙ୍କ ନିର୍ବାଚନ ମଣ୍ଡଳୀକୁ ଯିବା ଅବସରରେ କ’ଣ କହିଛନ୍ତି, ତାକୁ ନେଇ ଅଧିକ ଚର୍ଚ୍ଚା ହେବା କଥା ନୁହେଁ। ନବୀନ ପଟ୍ଟନାୟକ ବର୍ତ୍ତମାନ ନେତୃତ୍ବ ନେଉଛନ୍ତି। ଦିବ୍ୟଶଙ୍କର କ’ଣ କହିଛନ୍ତି ଜାଣିନି କିନ୍ତୁ ଏତିକି କହିବି ବିନା ଦକ୍ଷତାରେ କେହି ନିର୍ବାଚନ ଜିତି ନାହାନ୍ତି। ଯେଉଁମାନେ ନିର୍ବାଚନ ଜିତିଛନ୍ତି ସମସ୍ତଙ୍କ ପାଖରେ ଦକ୍ଷତା ରହିଛି। ଉତ୍ତରାଧିକାରୀର ଆବଶ୍ୟକ ଅଛି କି ନାହିଁ, ଦଳ ଓ ସଭାପତି ନିଷ୍ପତ୍ତି କରିବେ। ଏବେଠୁ କାହିଁକି ସବୁ ବ୍ୟସ୍ତ ହେଉଛନ୍ତି। ଗଣେଶ୍ବର କହିଛନ୍ତି, ବିଜେଡିର ଉତ୍ତରାଧିକାରୀ କିଏ ହେବ, ନବୀନ ନିଷ୍ପତ୍ତି ନେବେ। ଆମ ସଭାପତି ସଫଳ, ସକ୍ଷମ। ଉତ୍ତରାଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ। ଆମ ସର୍ବମାନ୍ୟ ନେତା ନବୀନ। ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି। ଯୁବନେତାଙ୍କୁ ବିଜେଡି ଗୁରୁତ୍ବ ଦିଏ। ଦିବ୍ୟଶଙ୍କର କ’ଣ ପାଇଁ ଏପରି କହିଲେ ସେ ହିଁ ତା’ର ଉତ୍ତର ଦେଇପାରିବେ ବୋଲି ସେ କହିଛନ୍ତି। ନିକଟରେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ବିଜେଡିର ବରିଷ୍ଠ ନେତା ତଥା କଳିକେଶଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ। ଏହାର କିଛି ଦିନ ଭିତରେ ପୁଅ କଳିକେଶଙ୍କୁ ନେଇ ଦିବ୍ୟଶଙ୍କରଙ୍କ ଏହି ବୟାନ ଚର୍ଚ୍ଚାକୁ ବଢ଼ାଇଛି। ନେତୃତ୍ବ ଆଉ ଉତ୍ତରାଧିକାରୀ ପ୍ରସଙ୍ଗରେ ଅନେକ ନେତା ମୁହଁ ଖୋଲୁନଥିବାବେଳେ ଦିବ୍ୟଶଙ୍କର ଏମିତି ଖୋଲାଖୋଲି ନାଁ କହିବାକୁ କିପରି ସକ୍ଷମ ହେଲେ; ତାହା ସବୁଠୁ ବଡ଼ ଆଲୋଚନାର ବିଷୟ ପାଲଟିଛି। ଉତ୍ତରାଧିକାରୀ ଚର୍ଚ୍ଚାକୁ ନବୀନ ପୂର୍ବରୁ ଚତୁରତାର ସହ ଏଡ଼ାଇ ଯାଇଥିଲେ। ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ବାଛିବେ ବୋଲି ନିଜେ ନବୀନ ଘୋଷଣା କରିଥିଲେ। ହେଲେ ୨୪ ବର୍ଷର କ୍ଷମତା ହାତରୁ ଯିବା ପରେ ବିଜେଡିର ନେତୃତ୍ବ ହସ୍ତାନ୍ତର ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସ୍ବେଚ୍ଛାକୃତ ଅବସର ନେବା ପରେ ସୁଜାତା ଆର. କାର୍ତ୍ତିକେୟନ ବିଜେଡିର ମଙ୍ଗ ଧରିବେ ବୋଲି ଆଲୋଚନା ହେଉଥିଲା। ହେଲେ ଦଳର ପ୍ରତିଷ୍ଠା ଦିବସ ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଥିଲା। ଏବେ ପଶ୍ଚିମ ଓଡ଼ିଶାରୁ ନେତୃତ୍ବର ସ୍ବର ଶୁଭିବା ପରେ ‌ପୁଣି ବିଜେଡିରେ ଉତ୍ତରାଧିକାରୀ ଚର୍ଚ୍ଚା ଦାନା ବାନ୍ଧିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook