ମୁଖ୍ୟ ଖବର
ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠ ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦଳର ସଭାପତିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଦଳର ସଭାପତିଙ୍କର ରାଜନୈତିକ ପରାମର୍ଶଦାତା ଡ଼ ସଂତୃପ୍ତ ମିଶ୍ର, ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ବିକ୍ରମ ଆରୁଖ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ଡ଼ ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।
ଗଣମାଧ୍ୟମକୁ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ତଥା ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ଓଡ଼ିଶାର ୭୦ ଭାଗ ଚାଷୀକୁଳକୁ ଯେଉଁଭଳି ଭାବରେ ଡବଲ ଇଞ୍ଜିନ ସରକାର ପ୍ରତାରିତ କରିଛି, ସେ ସମ୍ପର୍କରେ ବ୍ୟାପକ ଭାବରେ ଚର୍ଚ୍ଚା ଓ ଆଲୋଚନା କରାଯାଇଛି । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ଚାଷୀକୁଳକୁ ପ୍ରତିଶ୍ରୁତି ଦିଆଯାଇଥିଲା, ବିଜେପି ସରକାର ଆସିଲେ ଓଡ଼ିଶାର ଚାଷୀ ମାନଙ୍କର ସମସ୍ତ ବଳକା ବିକି୍ର ଯୋଗ୍ୟ ଧାନ ସଂଗ୍ରହ କରିବୁ ଏବଂ ଏମ୍ଏସ୍ପି ସହିତ ଇନପୁଟ୍ ସବ୍ସିଡି ମିଶାଇ ୩୧୦୦ ଟଙ୍କାରେ ଧାନ କିଣିବୁ । କିନ୍ତୁ ଗୋଟିଏ ବର୍ଷର ଖରିଫ୍ ସିଜିନ୍ ପରେ ସରକାର ଘୋଷଣା କଲେ ଆମେ ୧୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବୁ, ଆଉ ବଳକା ଧାନ ଚାଷୀ ଖୋଲା ବଜାରରେ ବିକି୍ର କରିଦିଅନ୍ତୁ । ଚଳିତ ବର୍ଷ ଓଡ଼ିଶାର ଚାଷୀକୁଳକୁ ଟୋକନ ପ୍ରଦାନ ପାଇଁ, ମଣ୍ଡିରେ ଧାନ ଉଠାଇବା ପାଇଁ, ଉଠୁଥିବା ଧାନର ପ୍ରାପ୍ୟ ପ୍ରଦାନ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଆନେ୍ଦାଳନ କରିବାକୁ ପଡୁଛି । ଯୋଗାଣ ବିଭାଗ, ସମବାୟ ବିଭାଗ ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏବଂ ବିଭିନ୍ନ ମନ୍ତ୍ରୀ ମାନଙ୍କର ଭିନ୍ନ ଭିନ୍ନ ବକ୍ତବ୍ୟ ଓ ଚାଷୀକୁଳକୁ ଅପମାନ ଜନକ ବକ୍ତବ୍ୟକୁ ଆଜିର ବୈଠକରେ ତୀବ୍ର ନିନ୍ଦା କରାଯାଇଛି ।
ରାଜ୍ୟରେ ଚରମ ଆଇନ ଶୃଙ୍ଖଳା ପରିସ୍ଥିତି, ସଂଖ୍ୟାଲଘୁ ଓ ଦଳିତ ମାନଙ୍କ ପ୍ରତି ଅତ୍ୟାଚାର, ପଲୁ୍ୟସନ ସାର୍ଟିଫିକେଟ୍ ନାଁରେ ଲୋକଙ୍କ ଉପରେ ଜିଜିଆ କର ଆଦାୟ କରିବା, ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ସ୍କାମକୁ ନେଇ ଆଜି ବୈଠକରେ ବ୍ୟାପକ ଭାବରେ ଆଲୋଚନା କରାଯାଇଛି ।
ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ୧୦୦ରୁ ଊଦ୍ଧ୍ୱର୍ ଇଣ୍ଡଷ୍ଟି୍ରଆଲ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀର ତଳ ମୁଣ୍ଡରେ ଆମ ରାଜ୍ୟର ୧୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ପିଇବା ପାଣି ସ୍କିମ୍ ଠାରୁ ଆରମ୍ଭ କରି, ଅଣମୌସୁମୀ ଜଳସେଚନ, ଶକ୍ତି ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ଆଜି ଦିନରେ ରାଜ୍ୟର ପ୍ରମୁଖ ସମସ୍ୟା । ମହାନଦୀର ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଏକ ବ୍ୟାପକ ଜନଆନେ୍ଦାଳନ କରିଥିଲା, ଯାହା ଫଳରେ କେନ୍ଦ୍ର ସରକାର ରାଜ୍ୟର ଆଇନଗତ ଲଢ଼େଇ ପରେ ଟି୍ରବୁ୍ୟନାଲ ଗଠନ କରିଥିଲେ । ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କର ସ୍ୱାର୍ଥ ଓ ମହାନଦୀର ଜଳ ପ୍ରବାହର ସୁରକ୍ଷା ବିଜୁ ଜନତା ଦଳର ଆଭିମୁଖ୍ୟରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି ଶ୍ରୀ ଦାସବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗତ ସାଧାରଣ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ଜନସାଧାରଣଙ୍କୁ ଯେଉଁ ୨୧ଟି ନିର୍ବାଚନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ, ସେ ସମ୍ପର୍କରେ ଆଜି ରାଜନୈତିକ ବ୍ୟାପାର କମିଟିରେ ବ୍ୟାପକ ଭାବରେ ଚର୍ଚ୍ଚା ଓ ଆଲୋଚନା କରାଯାଇଛି । ଓଡ଼ିଶାର ଜନସାଧାରଣଙ୍କୁ ଭୋଟ୍ ନେଲା ପରେ ଡବଲ ଇଞ୍ଜିନ ସରକାର ଯେଉଁଭଳି ଭାବରେ ପ୍ରତାରିତ କରିଛନ୍ତି, ସେ ସମ୍ପର୍କରେ ରାଜ୍ୟବ୍ୟାପୀ ୱାର୍ଡ, ପଞ୍ଚାୟତ, ବ୍ଲକ, ନିର୍ବାଚନ ମଣ୍ଡଳୀ, ଜିଲ୍ଲା, ଏନଏସି, ପୌରପରିଷଦ ଓ ମହାନଗର ନିଗମ ସ୍ତରରେ ବିଜୁ ଜନତା ଦଳ ସରକାରଙ୍କ ବିଫଳତା ଏବଂ ପ୍ରତାରଣା ବିରୁଦ୍ଧରେ ସଶକ୍ତ ଜନମତ ତିଆରି କରିବା ସହିତ ପ୍ରତ୍ୟେକ ସ୍ତରରେ ଗାଁଠୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଡବଲ ଇଞ୍ଜିନ ସରକାରଙ୍କୁ ପ୍ରଶ୍ନ କରାଯିବ ।
ଦୁର୍ନୀତିରେ ଶୂନ୍ୟ ସହନଶୀଳତା, ଚିଟ୍ଫଣ୍ଡ୍ ସ୍କାମ୍ରେ ପ୍ରଭାବିତ ଜନସାଧାରଣଙ୍କୁ ୧୮ ମାସ ମଧ୍ୟରେ ପ୍ରାପ୍ୟ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଓଡ଼ିଶାର ଚାଷୀକୁଳକୁ ବିନା କଟନୀ ଛଟନୀରେ ୩୧୦୦ ଟଙ୍କା କୁଇଣ୍ଟାଲ ପ୍ରତି ପ୍ରାପ୍ୟ, ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ପ୍ରଦାନ, ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି, ବୟସ୍କ ବ୍ୟକ୍ତିମାନଙ୍କୁ ୩ ହଜାର ଟଙ୍କା ଭତ୍ତା, ୩୦୦ ୟୁନିଟ୍ ମାଗଣା ବିଜୁଳି, ମତ୍ସ୍ୟଜୀବୀ ମାନଙ୍କୁ ୧୦ ହଜାର ଟଙ୍କା ଭତ୍ତା, ପଞ୍ଚାୟତ, ଜିଲ୍ଲା ସଦର ମହକୁମା ଓ ଷ୍ଟେଟ୍ କ୍ୟାପିଟାଲକୁ ନୂତନ ଭାବେ ୭୫,୦୦୦ କିମି ଗ୍ରାମ୍ୟ ଓ ସହରୀ ରାସ୍ତା ନିର୍ମାଣ, ୪ଟି ସହରରେ ଆଇଟି ପାର୍କ, ମେକ୍ ଇନ୍ ଓଡ଼ିଶା ସ୍କିମ୍ ମାଧ୍ୟମରେ ଓଡ଼ିଶାର ବିକାଶ, ପାରାଦୀପ, ଧାମରା, ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଶିଳ୍ପ କରିଡ଼ର ପ୍ରତିଷ୍ଠା, ୨ ବର୍ଷ ମଧ୍ୟରେ ୬୫ ହଜାର ନିଯୁକ୍ତି, କେନ୍ଦୁପତ୍ର ତୋଳାଳୀ ମାନଙ୍କର ସମସ୍ୟାର ସମାଧାନ, ପିଏମ୍ ଆବାସ ଯୋଜନା ମାଧ୍ୟମରେ ୧୫ ଲକ୍ଷ ନୂତନ ଗୃହ ନିର୍ମାଣ, ଜଳଜୀବନ ମିଶନ ଜରିଆରେ ୨୬ ଲକ୍ଷ ପରିବାରକୁ ପିଇବା ପାଣିର ବ୍ୟବସ୍ଥା, ବାକି ଥିବା ପୁରୀ ପରିକ୍ରମା ପ୍ରୋଜେକ୍ଟର ପୂର୍ଣ୍ଣାଙ୍ଗ, ପଶ୍ଚିମ ଓଡ଼ିଶାରେ ୩ଟି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜୁ ଜନତା ଦଳର ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜୁ ଜନତା ଦଳ ଖୁବଶୀଘ୍ର ରାଜ୍ୟବ୍ୟାପୀ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମର ରୂପରେଖ ଘୋଷଣା କରିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
Comments ସମସ୍ତ ମତାମତ