ମୁଖ୍ୟ ଖବର
ଭୁବନେଶ୍ବର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନର ସପ୍ତାହ ପରେ ସାମ୍ନାକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅରବିନ୍ଦଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ଦର୍ଶାଇଛନ୍ତି ନବୀନ । ବିଶ୍ୱାସ କରି ଅରବିନ୍ଦଙ୍କୁ ପାଟକୁରା ପାଇଁ ଟିକେଟ ଦେଇଥିଲି, ସେ ଲୋକଙ୍କୁ ହଇରାଣ ହରକତ କରୁଥିବା ନବୀନ କହିଛନ୍ତି । ଦଳରେ ରହି ଯେଉଁ ବ୍ୟକ୍ତି ଜନସାଧାରଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢି ଦିଏ । ଆପଣ ମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ନବୀନ କହିଛନ୍ତି । ଆଜି ସନ୍ଧ୍ୟାରେ ପାଟକୁରାରୁ ଆସିଥିବା ବିଜେଡିର ତୃଣମୂଳ ସ୍ତରର କର୍ମୀଙ୍କୁ ଭେଟିବା ଅବସରରେ ନବୀନ ଏହା କହିଛନ୍ତି ।
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜୁ ଜନତା ଦଳ ଗତ ୧୫ ତାରିଖରେ ନିଲମ୍ବନ କରିଥିଲା । ଏହାକୁ ନେଇ ବହୁ ତମ୍ବିତୋଫାନ ହୋଇଛି । ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଘଟଣାରେ ଦଳର ବରିଷ୍ଠ ନେତା କିନ୍ତୁ ଚୁପ ରହିଥିଲେ । ଦଳର ମୁଖପାତ୍ର ଓ ଯୁବ ନେତା କାର୍ଯ୍ୟାନୁଷ୍ଠାନକୁ ସଠିକ ପ୍ରମାଣିତ କରିବା ଲାଗି ଚେଷ୍ଟା କରୁଥିଲେ । ସେପଟେ ନିଲମ୍ବନର କାରଣ ଓ ପ୍ରମାଣ ମାଗିଚାଲିଥିଲେ ଅରବିନ୍ଦ । ଶେଷରେ ଆଜି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କାର୍ଯ୍ୟାନୁଷ୍ଠାନର ସାତ ଦିନ ପରେ ସମ୍ମୁଖକୁ ଆସିଛନ୍ତି ବିଜେଡି ସୁପ୍ରିମୋ । କାର୍ଯ୍ୟାନୁଷ୍ଠାନକୁ ସଠିକ ଦର୍ଶାଇଛନ୍ତି ନବୀନ ।
ନବୀନ କହିଛନ୍ତି, "ମୁଁ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଦେଇଥିଲି । ନିର୍ବାଚନରେ ଲୋକଙ୍କ ପାଇଁ କିଛି କାମ କରିବାକୁ ମୁଁ ଅରବିନ୍ଦଙ୍କୁ ବିଶ୍ଵାସ କରି ସୁଯୋଗ ମଧ୍ୟ ଦେଇଥିଲି । ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଭଲ କାମ କରିବାକୁ କହିଥିଲି । କିନ୍ତୁ ଜାଣିଲି ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି । ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରେ ମୁଁ ତାକୁ ଦଳରୁ କାଢିଦିଏ । ଆପଣ ମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ," ବୋଲି କହିଛନ୍ତି ନବୀନ ।
ନବୀନ ନିବାସରେ ଆସି ପହଁଚିଥିଲେ ପାଟକୁରା ବିଜେଡିର ନେତା ଓ କର୍ମୀ । ବହୁ ସଂଖ୍ୟାରେ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେମାନେ ସମର୍ଥନ ଜଣାଇଛନ୍ତି । ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସପେଣ୍ଡ କରିଥିଲେ ନବୀନ । ଏହି ନିଷ୍ପତ୍ତି ଯଥାର୍ଥ ଥିଲା ଓ ନବୀନଙ୍କ ସହ ଆମେ ଥିଲୁ, ଅଛୁ ଏବଂ ରହିବୁ ବୋଲି ପାଟକୁରାର ଦଳୀୟ ନେତା ଓ କର୍ମୀ କହିଛନ୍ତି । ଦୁର୍ନୀତି ଓ ବିଶ୍ୱାସଘାତକ ଅଭିଯୋଗରେ ବିଜେଡି ସୁପ୍ରିମୋ ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦଳୀୟ ଗୁଇନ୍ଦା ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପୂର୍ବରୁ ସଭାପତିଙ୍କ ନିଷ୍ପତ୍ତିକୁ ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ, ଦଳର ମୁଖପାତ୍ର ଲେନିନ ମହାନ୍ତି ଯଥାର୍ଥ ବୋଲି କହିଛନ୍ତି । ଆଜି ନବୀନଙ୍କୁ ପାଟକୁରା ବିଜେଡିର ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀ ଭେଟି ଧନ୍ୟବାଦ ଦେଇଛନ୍ତି ।
Comments ସମସ୍ତ ମତାମତ