Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ସହ କର୍ମୀଙ୍କୁ ବିଶ୍ୱାସଘାତ କରିଛନ୍ତି ଅରବିନ୍ଦ: ବିଜେଡି

    Share on :
    ajab-Image
    Date: Jan 19, 2026    Views: 2300

    ଭୁବନେଶ୍ୱର: ବିଜୁ ଜନତା ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର କରିବା ସହ କର୍ମୀଙ୍କ ପ୍ରତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଶ୍ୱାସଘାତକତା କରିଛନ୍ତି ।ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ସଂଗଠକ ଶ୍ରୀ ଅମରେଶ ପତ୍ରୀ କହିଛନ୍ତି ଯେ, ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ରର ଅଂଶ ଭାବେ ଉଭୟ ନିଲମ୍ବିତ ବିଧାୟକ କାର୍ଯ୍ୟକରି ଆସୁଥିଲେ ।
    ଶ୍ରୀ ପତ୍ରୀ ଆହୁରି କହିଛନ୍ତି ଯେ, ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ଜରିଆରେ ଅରବିନ୍ଦ କାର୍ଯ୍ୟ କରିଆସୁଥିଲେ । ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଂଗଠନକୁ ସଶକ୍ତ କରି ରଖିଥିଲେ, ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ । ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ କରିଥିଲେ । ପାଟକୁରାରେ ବାପା ପୁଅ ଦଳ ଚାଲିଥିଲା । ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ । ଦଳ ବିରୋଧରେ କଣ କଣ ଷଡଯନ୍ତ୍ର କରିଥିଲେ, ତାହା ନିଜକୁ ନିଜେ ପଚାରନ୍ତୁ ଅରବିନ୍ଦ । 
    ଅତୀତରେ ସ୍ୱର୍ଗତ ବିଜୁ ବାବୁଙ୍କ ବିରୋଧରେ ଅରବିନ୍ଦ ମହାପାତ୍ରଙ୍କ ପିତା ଯେଭଳି ଷଡଯନ୍ତ୍ର କରିଥିଲେ, ଆଜି ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିରୋଧରେ ସେହିଭଳି ବିଶ୍ୱାସଘାତକତା କରିବା ଯୋଜନାରେ ସାମିଲ ହୋଇ ବିଜେଡିକୁ ଦୁର୍ବଳ କରିବା ଅପଚେଷ୍ଟରେ ଲିପ୍ତ ଥିଲେ । ସଠିକ ସମୟରେ ଏହା ମାନ୍ୟବର ସଭାପତିଙ୍କ ଦୃଷ୍ଟିକୁ ଆସିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କିଛି ମାସ ଧରି ଷଡଯନ୍ତ୍ରର ସୁରାକ ବିଜେଡି ସଭାପତି ପାଇଥିଲେ ମଧ୍ୟ, ତ୍ରୁଟି ସୁଧାରିବା ପାଇଁ ଉଭୟଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ସୁଧୁରିବା ବଦଳରେ ଉଭୟ ଅରବିନ୍ଦ ଓ ସନାତନ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ । 
    ସେହିପରି ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ଗତ ତିନି ଦଶନ୍ଧି ମଧ୍ୟରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନେକ ଯୁବ ପ୍ରତିଭାଙ୍କୁ ସେବା ମନୋବୃତ୍ତି ରଖି ସାଧାରଣ ଜୀବନରେ ପ୍ରତିଷ୍ଠିତ ହେବା ପାଇଁ ସୁଯୋଗ ଦେଇଛନ୍ତି । ସେହି କ୍ରମରେ ଅରବିନ୍ଦଙ୍କୁ ପାଟକୁରାରୁ ବିଧାନସଭାର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିଲେ । ଏହି ସୁଯୋଗର ସଦ୍ବ୍ୟବହାର କରି ଲୋକଙ୍କ ସେବା କରିବା ପରିବର୍ତ୍ତେ ଏଭଳି ବିଶୃଙ୍ଖଳିତ ଆଚରଣ ଦୁର୍ଭାଗ୍ୟଜନକ । ଶୃଙ୍ଖଳିତ ଆଚରଣ ପାଇଁ ସାରା ଦେଶରେ ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ୱ ବେଶ୍ ପରିଚିତ । ବିଜୁ ଜନତା ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook