ମୁଖ୍ୟ ଖବର
ଭୁବନେଶ୍ବର: ବିଜେଡିକୁ ଭାଙ୍ଗିବାକୁ ହୋଇଥିଲା ଷଡ଼ଯନ୍ତ୍ର । ମିଡ ନାଇଟ ଅପରେସନ ଭଳି ମିଡ ଡେ ଅପରେସନ ବି ଫେଲ ହୋଇଛି । ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଏହି ଅପରେସନ ଅଂଶ ବିଶେଷ ଥିଲେ । ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ ଥିଲେ । କିଛି କୁଚକ୍ରୀ ଦଳକୁ ଦୁର୍ବଳ କରିବାକୁ ଲାଗିଛନ୍ତି । ବିଜୟ ମହାପାତ୍ର ସେମାନଙ୍କୁ ବ୍ୟାକଅପ ଦେଉଥିଲେ । ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେପଟେ ବିଜେଡି ମୁଖପାତ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ମିଡ ଡେ ଅପରେସନ କଣ ମୁଁ ଜାଣିନାହିଁ । ଅଭିଯୋଗର ତଥ୍ୟ ପ୍ରମାଣ ଦିଅନ୍ତୁ ବୋଲି ଅରବିନ୍ଦ କହିଛନ୍ତି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ‘ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏକ ସଫଳ ରାଜନୈତିକ ଦଳ ଭାବେ ସାରା ଦେଶରେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଛି । କ୍ରମାଗତ ୨୪ ବର୍ଷ ପାଇଁ ବିଜେଡିକୁ କ୍ଷମତାରେ ରଖିଲେ । ବର୍ତ୍ତମାନ ଲୋକେ ବିଜେଡିକୁ ବିରୋଧୀ ଦଳରେ ବସେଇଛନ୍ତି । ଦଳର ଏକ ଅନୁଶାସନ ରହିଛି । କୋଟିଏ ସଦସ୍ୟ ରହିଛନ୍ତି । ଦଳର ସଭାପତି ଦୁର୍ନୀତିଗସ୍ତ ଓ ବିଶ୍ୱାସଘାତକଙ୍କୁ ଘୃଣା କରନ୍ତି । ଦଳର ଗାଇଡଲାଇନକୁ ଯେଉଁମାନେ ବିରୋଧ କରିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହି କ୍ରମରେ ପାଟକୁରା ଓ ଚମ୍ପୁଆ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।’
ଲେନିନ ଆହୁରି କହିଛନ୍ତି, ‘ବିରୋଧୀ ଦଳରେ ଥାଇ ମଧ୍ୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ନଜିର ସୃଷ୍ଟି କରିଛନ୍ତି ନବୀନ । ମାସାଧିକ କାଳ ତର୍ଜମା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତୃଣମୂଳ ସ୍ତରର ନେତା, ଜିଲ୍ଲାସ୍ତରୀୟ ବରିଷ୍ଠ ନେତା ଓ ସବୁ ଦିଗରୁ ତର୍ଜମା ପରେ ଏହି ନିଷ୍ପତ୍ତି ହୋଇଛି । ଘଟଣାରେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଅଲଗା ଅଲଗା ଦେଖାଇବା ପାଇଁ ଚେଷ୍ଟା କରାଯାଉଛି । ଯାହା ଭୁଲ । ଏକ ବଡଧରଣର ଷଡଯନ୍ତ୍ର ହୋଇଥିଲା । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଉଭୟ ବିଧାୟକ ଏହାର ଅଂଶ ବିଶେଷ । ଦଳର ଅନୁଶାସନ ଭାଙ୍ଗୁଥିବା ଓ ଧୋକାବାଜି କରାଯାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।’
‘ଦଳକୁ ଦୁର୍ବଳ କରିବା ପାଇଁ ଏକ ଷଡଯନ୍ତ୍ର ହୋଇଥିଲା । କିଛି ଲୋକ ବିଜେଡିକୁ ଦୁର୍ବଳ କରିବା ପାଇଁ ଚାହୁଁଛନ୍ତି । ଏହିକ୍ରମରେ ହେଉଥିବା ଷଡଯନ୍ତ୍ରରେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଅଂଶ ବିଶେଷ ଥିଲେ । ବିଜୟ ମହାପାତ୍ର ବ୍ୟାକ ଅପ ଦେଉଥିଲେ । ଗୋଟେ ପ୍ରଶ୍ନ ଉଠୁଛି ଯେ ଦଳର କିଛି ନେତା ବିଭିନ୍ନ କଥାକୁ ନେଇ ପ୍ରଶ୍ନ କରୁଛନ୍ତି । ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି । ଗଣତାନ୍ତ୍ରିକ ଦଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ସୃଷ୍ଟି ହେବ । କିନ୍ତୁ ସେମାନଙ୍କର ଦଳ ଭାଙ୍ଗିବା ଉଦ୍ୟମ ନଥାଏ । ଦଳ ଭାଙ୍ଗୁ ବୋଲି ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କେବେ କହିନାହାନ୍ତି । କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ । ସେଥିପାଇଁ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ ପାଇଁ ନିଲମ୍ବନ ହେଲେ । ସନାତନ ମହାକୁଡ଼, ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ରଙ୍କର ଭିନ୍ନ ଭିନ୍ନ ଦାଇତ୍ୱ ଥିଲା । କିଏ ବ୍ୟାକଅପ ଦେବ, କିଏ ସଙ୍ଗଠିତ କରିବ ଓ ଆଉ କିଏ ପରିଚାଳନା କରିବ ସେ ତିନି ଜଣଙ୍କ ଭିତରେ ବଣ୍ଟାଯାଇଥିଲା । ଲୋକେ ନବୀନ ବାବୁଙ୍କ ସହିତ ୨୪ ବର୍ଷ ହେଲା ଅଛନ୍ତି । ଆଗକୁ ମଧ୍ୟ ରହିବେ । ତେଣୁ ମିଡ ନାଇଟ ଅପରେସନ ଫେଲ ହୋଇଥିଲା । ଆଉ ମିଡ ଡେ ଅପରେସନ ଫେଲ ହୋଇଛି ।’ ବୋଲି ଲେଲିନ କହିଛନ୍ତି ।
ସେପଟେ ବିଜେଡିରୁ ନିଲମ୍ଵନ ଓ ନିଲମ୍ବନକୁ ନେଇ ବିଜେଡି ଦର୍ଶାଇଥିବା କାରଣ ଉପରେ ଜବାବ ରଖିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ଅରବିନ୍ଦ କହିଛନ୍ତି, ‘ବାପା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ସ୍ୱତନ୍ତ୍ର । ବିଜୟ ମହାପାତ୍ରଙ୍କୁ ମୋ ପ୍ରସଙ୍ଗରେ ନଟଣାଯାଉ । କାରଣ ସେ ବିଜେଡିରେ ନାହାନ୍ତି । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସହ ମୋର କେବେ ଦେଖା ହୋଇନାହିଁ । ବିଧାନସଭା ଲବିରେ ଦେଖା ହୋଇଛି । ସମ୍ମାନ ଦୃଷ୍ଟିରୁ ନମସ୍କାର କରିଥିବି । କେବେ ବସିକି ମୁଁ ଆଲୋଚନା କରିନାହିଁ । ଦଳ କହିଲେ ସ୍ପଷ୍ଟ ଭାବେ ପ୍ରତିକ୍ରିୟା ଦେବି । କେତେବେଳେ ଷଡ଼ଯନ୍ତ୍ର ଓ ଦୁର୍ନୀତି କଥା କହୁଛନ୍ତି । ଆଉ କେତେବେଳେ ଦଳ ବିରୋଧୀ କଥା କହୁଛନ୍ତି । ଏତେ ଅଭିଯୋଗ କରୁଛନ୍ତି, ତାର ପ୍ରମାଣ ଦିଅନ୍ତୁ । ମୋ ଉପରେ ଆଣିଥିବା ଅଭିଯୋଗ ଭିତ୍ତିହୀନ । ୨୦୧୯ରେ ବାପାଙ୍କୁ ସହଯୋଗ କରିବା ପାଇଁ ପାଟକୁରା ଆସିଥିଲି । ଅଞ୍ଚଳ ବୁଲିଥିଲି । ୨୦୨୪ରେ ନିର୍ବାଚନ ଲଢିଲି । ରାଜନୀତିରେ ମୁଁ ନୂଆ । ଯେଉଁ ଅଭିଯୋଗ ଅଣାଯାଉଛି ବିସ୍ତୃତ ଓ ଖୋଲାଖୋଲି ଭାବେ କୁହାଯାଉ । ଯାହାର ଉତ୍ତର ମୁଁ ସ୍ପଷ୍ଟ ଭାବେ ଦେଇପାରିବି । କାହା ସହିତ ଆଲୋଚନା କରିଛି, ଷଡଯନ୍ତ୍ରରେ କେମିତି ସାମିଲ ହେଲି ଜାଣିପାରିବି । ଦଳ ପକ୍ଷରୁ ଯାହା କାର୍ଯ୍ୟକ୍ରମ ଦିଆଯାଏ, ସାମିଲ ହୋଇ କରିଛୁ ।’
ସେ ଆହୁରି ମଧ୍ୟ କହିଛନ୍ତି, "ନବୀନଙ୍କ ସହ ଆଲୋଚନା ହୋଇନାହିଁ । କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟତିବ୍ୟସ୍ତ କିମ୍ବା ଅଧର୍ଯ୍ୟ ନୁହେଁ । ମିଡ ନାଇଟ ଅପରେସନ କଥା ଶୁଣିଛି । ବିଶେଷ ଭାବେ ଜାଣିନାହିଁ । ମିଡ ଡେ ଅପରେସନ କଣ ମୁଁ ଜାଣିନାହିଁ । ଯାହା ଅଭିଯୋଗ କରୁଛନ୍ତି ତଥ୍ୟ ପ୍ରମାଣ ଦିଅନ୍ତୁ । କାହା ସହ କେଉଁ ଦିନ, କେତେବେଳେ ବସିଥିଲି କହିଲେ ମଧ୍ୟ ଭଲ ହେବ । ଅନ୍ୟ ବିଧାୟକଙ୍କ ଭଳି ଭୋଜି ବି କରିନାହିଁ । ଯଦି ସନାତନ ମହାକୁଡ, ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ରଙ୍କୁ ଭେଟିଥିଲେ କ'ଣ ଫଟୋ ଭିଡିଓ ରଖିଛନ୍ତି । ପ୍ରମାଣ ଦେଖାନ୍ତୁ । କାହା ସହ ଭେଟିଥିଲି ତାହା ସ୍ପଷ୍ଟ କରନ୍ତୁ । କୌଣସି ଦୁର୍ନୀତି କରିନାହିଁ, ମୁଁ ଦୁର୍ନୀତି ଅଟକାଇଛି । ବିଧାୟକ ଭାବେ ଟଙ୍କାଟେ ମୁଁ ନେଇ ନାହିଁ । ମୁଁ କ୍ଲିନ । ନିର୍ବାଚନ ମଣ୍ଡଳୀ ବାସୀ କହିବେ । ପ୍ରକଳ୍ପ ଠିକ ଭାବେ ଦିଆଯାଉଛି । ବିଶ୍ବାସଘାତକତା କାହା ସହ କଲି ସ୍ପଷ୍ଟ କରନ୍ତୁ । ରାଜ୍ୟବାସୀ ମଧ୍ୟ ଅପେକ୍ଷା କରିଛନ୍ତି ଜାଣିବା ପାଇଁ କାହିଁକି ନିଲମ୍ବନ କରାଗଲା । ମିଡ ନାଇଟ ଅପରେସନର ଖବର ଗଣମାଧ୍ୟମରେ ଆସିଥିଲା । ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାର ପ୍ରମାଣ ବି ଦିଅନ୍ତୁ । ଷଡ଼ଯନ୍ତ୍ର ହୋଇଛି କି ନାହିଁ ମୁଁ ଜାଣିନାହିଁ । ଏବେବି ପାଟକୁରାବାସୀଙ୍କୁ ମୁଁ ଭେଟୁଛି । ନୂଆ ଦଳ ହେବ ବୋଲି ବିଜୟ ମହାପାତ୍ର କେବେ କହି ନାହାନ୍ତି । ତାଙ୍କର ଏଥିରେ କୌଣସି ଭୂମିକା ନାହିଁ । କାହା ସହ ବିଜୟ ମହାପାତ୍ର ଭେଟୁଛନ୍ତି ତାହା ବ୍ୟକ୍ତିଗତ ସମ୍ପର୍କ । ଅଯଥାରେ ତାଙ୍କୁ ନଟାଣନ୍ତୁ ।"
Comments ସମସ୍ତ ମତାମତ